ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୂରା ଘଟଣା ଉପରେ ଆମେ ନଜର ରଖିଛୁ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସହରରେ ପୁଲିସ ଛାଉଣୀ କରାଯାଇଛି । ପାଖାପାଖି ୪୦ପ୍ଲାଟୁନ ଫୋର୍ସ ଛକ ଛକରେ ଟହଲ ମାରୁଛନ୍ତି । ଉଦ୍ଦେଶ୍ୟ କେଉଁଠି କୌଣସିି ମତେ ବି ଉପୁଜିବ ନାହିଁ ଅପ୍ରୀତିକର ପରିସ୍ଥିତି । ପୁଲିସ କମିଶନରଙ୍କ ଏହି ଡାଇଲଗର ଯେ ଆଦୌ ଦମ ନାହିଁ ତାହା ଭୁବନେଶ୍ୱରର କୌଣସି ଛକକୁ ଦେଖିଲେ ସହଜେ ଜଣାପଡେ ।
ଯେଉଁଠି ଦେଖିବ ସେଠି ଖୁଲମଖୁଲ୍ଲା ଗୁଣ୍ଡାଗର୍ଦ୍ଦି । ବନ୍ଦ ନାଁରେ ବଦମାସି । ବାଟଘାଟରେ ଲୋକଙ୍କୁ ଅଟକାଇ ଗାଳିଗୁଲଜ ସହ ଆକ୍ରମଣ କରୁଛନ୍ତି ଆନ୍ଦୋଳନକାରୀ । ସେ ଜୟଦେବବିହାର ଓଭରବ୍ରିଜ ତଳ ହେଉ ଅବା କିଟ ଛକ । ସବୁଠି ପୁଲିସ ସାମ୍ନାରେ ହିଁ ନଜରକୁ ଆସୁଛି ଏଭଳି ଘଟଣା । ହେଲେ ବଡ଼ ଦୁଃଖର କଥା ପୁଲିସ ସବୁ ଦେଖୁଥିଲେ ବି ହାତ ବାନ୍ଧି ବସି ରହୁଛି । ପଚାରିଲେ ଓଲଟି ଉତ୍ତର ମିଳୁଛି ‘ତମେ କାହିଁକି ଘରୁ ବାହାରୁଛ ନା’ । ପୁଲିସର ଏଭଳି ହାଲକା ଉତ୍ତରକୁ ନେଇ ସାଧାରଣରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।
ବିଜେପି ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ୧୦ଟି ଶ୍ରମିକ ସଂଗଠନ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି । ତେବେ ବନ୍ଦ ଡାକରାକୁ କେହି ବିରୋଧ କରୁନାହାନ୍ତି । କିନ୍ତୁ ଏହାରି ଆଳରେ ଗୁଣ୍ଡାଗର୍ଦ୍ଦି କେତେଦୂର ଠିକ୍ । ସବୁଠୁ ବଡ଼ କଥା ହେଉଛି ଏହି ଆନ୍ଦୋଳନରେ ଏକ ଅଜବ ଦୃଶ୍ୟ ସାମ୍ନାକୁୁ ଆସୁଛି । କର୍ମୀ କମ୍ ବରଂ ଭଡାଟିଆ ଗୁଣ୍ଡାଙ୍କ ସଂଖ୍ୟା ଅଧିକ ନଜରକୁ ଆସୁଛି । ଯେଉଁମାନେ କି’ ଅତ୍ୟଧିକ ଉତ୍ପାତ ହେଉଛନ୍ତି । ଆହୁରି ମଧ୍ୟ ଏଥିରେ ସାମିଲ କରାଯାଉଛି ବସ୍ତିର କୁନିକୁନି ପିଲାଙ୍କୁ । ଯେଉଁମାନେ କି ଘଟଣା ସମ୍ପର୍କରେ ପୂରା ଅଜ୍ଞ ।
ଷ୍ଟ୍ରାଇକର ସ’ ଅକ୍ଷର ଜଣାନଥିବା ଏହି ପିଲାମାନେ ହାତରେ ବାଡି ଧରି ଆତଙ୍କ ରଚାଇବାକୁ ବି ପଛାଉନାହାନ୍ତି । ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ.. ଏ କେଉଁପ୍ରକାର ଆନ୍ଦୋଳନ? ଷ୍ଟ୍ରାଇକରେ ସାମିଲ ପିଲାମାନେ କେଉଁଦଳର କର୍ମୀ? ଏ ପିଲାଙ୍କୁ ସାମିଲ କରି ସାଧାରଣ ଲୋକଙ୍କ ଉପରେ ଜୁଲମ କରିବା ପଛର ଉଦ୍ଦେଶ୍ୟ କଣ? କାହିଁକି ସବୁ ଦେଖି ଅନ୍ଧ ସାଜିଛି କମିଶନରେଟ ପୁଲିସ? ଯଦି ଚୁପ ରହିବାର ଥିଲା ତେବେ ସହରରେ ପ୍ଲାଟୁନ ପ୍ଲାଟୁନ ଫୋର୍ସ ମୁତୟନର ଭେଳିକି କଣ ପାଇଁ? ସୂଚନାଯୋଗ୍ୟ, ଯେତେବେଳେ ବି ବନ୍ଦ ଡାକରା ଦିଆଯାଏ ସେତେବେଳେ କେଉଁଠି ନା କେଉଁଠି ଦେଖିବାକୁ ମିଳେ ହିଂସା । ହେଲେ କମିଶନରେଟ ପୁଲିସ ଚିରାଚରିତ ଢ଼ଙ୍ଗରେ କେବଳ ଅଭିଯୋଗକୁ ଅପେକ୍ଷା କରି ବସେ ।