କନ୍ଧମାଳ(ଏଟିଆର ବ୍ୟୁରୋ): ପୁଣି ଆଉ ଜଣେ ପ୍ରଧାନ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଏଥର ଛାତ୍ରୀ ନୁହଁନ୍ତି ବରଂ ପ୍ରଧାନ ଶିକ୍ଷକ ଜଣେ ଶିକ୍ଷୟତ୍ରୀଙ୍କୁ କରିଛନ୍ତି ଅସଦାଚରଣ । କେବଳ ପ୍ରଧାନ ଶିକ୍ଷକ କାହିଁକି ଏଥିରେ ଆହୁରି ଅନ୍ୟ ଶିକ୍ଷକମାନେ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଉଚ୍ଚବିଦ୍ୟାଳୟରୁ ।
ରିପୋର୍ଟ କହୁଛି, କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ କୁଡୁତୁଲି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ପିଇଟି ଶିକ୍ଷକ ସୁସାନ୍ତ ବଳିଆରସିଂ ଅସଦାଚରଣ କରିବା ସହ ଠେଲା ପେଲା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ମୁହଁ ଖୋଲି ହତ୍ୟା ଧମକ ଦିଆଯାଇଥିବା ଖୋଦ୍ ନିର୍ଯାତନାର ଶିକାର ହୋଇଥିବା ଶିକ୍ଷୟତ୍ରୀ ଅଭିଯୋଗ ଆଣିଛନ୍ତି । ଏହାସହ ଜାତିଆଣ ଆକ୍ଷେପ କରିଥିବା ଶିକ୍ଷୟତ୍ରୀ ଜଣଙ୍କ ପ୍ରକାଶ କରିଛନ୍ତି । ତେବେ ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିବା ପରେ ଏବେ ପୁଲିସ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଏହି ସ୍କୁଲର ଅନ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଏହି ତିନି ଜଣ ଶିକ୍ଷକ ଅସଦାଚରଣ କରିଥିବା କଥା ଚର୍ଚ୍ଚା ହେଉଛି । ତେବେ ଘଟଣାକୁ ସେମାନେ ଆପୋଷ ବୁଝାମଣା ମଧ୍ୟରେ ଚାପି ରଖାଯାଇଥିବା ଜଣାପଡିଛି ।
ଅଭିଯୋଗ ହୋଇଛି ଅଫିସ ରୁମକୁ ଶିକ୍ଷୟତ୍ରୀ ମାନଙ୍କୁ ଡାକି ଅସଦାଆଚରଣ କରିବା ସହ କମ୍ପ୍ରମାଇଜ କରିବାକୁୁ ବାଧ୍ୟ କରୁଥିଲେ । ମିଥ୍ୟା ଆଟେଡାନ୍ସ ପକାଇବାକୁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି । ସବୁଠୁ ବଡ଼ କଥା ହେଲା ଘଟଣା ସମ୍ପର୍କରେ ଶିକ୍ଷୟତ୍ରୀ ଜଣଙ୍କ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ସେଠାରୁ ସେ ନିରାଶ ହୋଇଥିଲେ ବୋଲି ଦୁଃଖର ସହ ଶିକ୍ଷୟତୀ ଗଣମାଧ୍ୟମକୁ ଜଣାଇଛନ୍ତି । ଏହା ପରେ ସେ ବାଧ୍ୟ ହୋଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।