ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜେଲର ପାଚେରୀ ଡେଇଁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ୱାର୍ଡର ନିକୁଞ୍ଜ ମହାନ୍ତି ଓ ୱାର୍ଡର ରମାକାନ୍ତଙ୍କୁ ସସପେଣ୍ଡ କରାଯାଇଛି । କଟକ ମଣ୍ଡଳ ଜେଲ ଅଧୀକ୍ଷକ ନିରଞ୍ଜନ ଦାସ ଉଭୟଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । କେନ୍ଦ୍ରାପଡାରେ ସବ ଜେଲରୁ ଫେରାର ହୋଇଯାଇଥିଲା ଆସାମୀ ରଙ୍ଗାଧର ବିଶ୍ୱାଳ । ନିକିରି ଥାନା ମିର୍ଜାପୁର ଗାଁରେ ଏକ ହତ୍ୟା ମାମଲାରେ ସେ ଗିରଫ ହୋଇଥିଲା । ରଙ୍ଗା ଫେରାର ହେବା ପରେ କେନ୍ଦ୍ରାପଡା ଏସପି, ଚୌଦ୍ୱାର ସେଁଟ୍ରାଲ ଜେଲ ଉଚ୍ଚ ଅଧିକାରୀ ଘଟଣାର ଖୋଳତାଡ କରିଥିଲେ । କାର୍ଯ୍ୟରେ ଅବହେଳା କରିଥିବା ଜଣାପଡିବା ପରେ ମୁଖ୍ୟ ୱାର୍ଡର ଓ ୱାର୍ଡରକୁ ନିଲମ୍ବିତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏହି ନିଲମ୍ବନକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି । ଏଠି ବି ବିଭାଗୀୟ ଅଧିକାରୀ ମାର ମାର ଭଣ୍ଡାରିଆକୁ ମାର ନୀତି ଆପଣାଇଛନ୍ତି । ୱାର୍ଡରଙ୍କୁ ସସପେଣ୍ଡ କରି ଜେଲରଙ୍କୁ ମାଫ କରିବା କେତେଦଦୂର ଠିକ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । କୌଣସି ଅଘଟଣ ଘଟିଲେ ସବୁବେଳେ ତଳିଆ କର୍ମଚାରୀଙ୍କୁ କାହିଁକି ଟାର୍ଗେଟ କରାଯାଏ ତାହାର ଉତର ଆଜି ବି ଖୋଜୁଛନ୍ତି ଜନତା । ତେଣୁ ଏଥିରେ ପରିବର୍ତନ ଆଣିବା ଦରକାର ବୋଲି ଦାବି ହୋଇଛି । ଘରର ପୁଅ ଭୁଲ କଲେ ବାପା ବି ଦାୟୀ ଭଳି ଜେଲରଙ୍କୁ ବି ସ୍କାନରକୁ ନିଆଯାଉ ବୋଲି ଲୋକେ ଦାବି କରିଛନ୍ତି ।