ବାଲେଶ୍ୱର (ଏଟିଆର ବ୍ୟୁରୋ); ଦେହର ଭୋକ ପାଇଁ ମଣିଷରୁ ପଶୁ ପାଲଟି ଯାଉଛନ୍ତି କେତେକ ଅଭଦ୍ର ବ୍ୟକ୍ତି । ଏଣୁ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ପରିମାଣ । ଏହି ଦୁଷ୍କର୍ମକାରୀଙ୍କ ନଜରରୁ କେହି ବି ବାଦ ପଡିନାହାଁନ୍ତି । କେବେ ନାବାଳିକା ତ ଆଉ କେବେ ବିଧବା । ସମସ୍ତେ ହେଉଛନ୍ତି ଦୁଷ୍କର୍ମର ଶିକାର । ତେବେ ଏବେ ଏଭଳି ଏକ ଘଟଣା ନଜରକୁ ଆସିଛି ଯାହାକି ଅତି ନିନ୍ଦନୀୟ । ପାପ କରିବାର ଶେଷ ସୀମା ଟପି ଯାଇଛନ୍ତି ଦୁଇ ଜଣ ଦୁଷ୍କର୍ମକାରୀ । ଦେହର ଭୋକ ମେଣ୍ଟେବାକୁ ଯାଇ ଜାଗର ଜାଳିବା ପାଇଁ ଯାଉଥିବା ଜଣେ ବିବାହିତା ମହିଳାଙ୍କୁ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଅନୁସାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଏଭଳି ନିନ୍ଦନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଳା ରେମୁଣା ଅଞ୍ଚଳରେ ।
ପୋଲିସ ସୂଚନା ଅନୁଯାୟୀ, ଗତକାଲି ଥିଲା ମହାଶିବରାତ୍ରୀ । ଜାଗର ଅବସରରେ ଦୀପ ଜାଳିବା ପାଇଁ ରେମୁଣା ଅଞ୍ଚଳର ଜଣେ ବିବାହିତ ମହିଳା ମନ୍ଦିର ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ । ଗାଁଠାରୁ ଖଣ୍ଡେ ଦୂରକୁ ନେଇ ଏକ ନିଛାଟିଆ ସ୍ଥାନରେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ଯୁବକ ଦୁଇଜଣ ତାଙ୍କୁ ସେଠାରେ ଛାଡି ଚାଲି ଆସିଥିଲେ । ଦିନସାରା ଉପାସ ପରେ ଦୁଷ୍କର୍ମର ଶିକାର ହୋଇଥିବା ମହିଳା ବହୁ କଷ୍ଟରେ ଥାନାରେ ପହଁଞ୍ଚି ଦୁଇଜଣଙ୍କ ନାମରେ ଏତଲା ଦେଇଥିଲେ । ପୋଲିସ ଏହି ଏତଲା ଆଧାରରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି ।
ତେବେ ଏହି ଘଟଣାରେ ସମ୍ପୃକ୍ତଥିବା ଯୁବକ ଦ୍ୱୟ ହେଲେ ଅଶୋକ ଦାସ ଏବଂ ମନୋଜ ଗିରି । ଉଭୟଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରୁଛି । ଯୁବକଦ୍ୱୟ ମଦ୍ୟପାନ କରି ଏଭଳି କରିଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସେମାନଙ୍କୁ ଘୋର ନିନ୍ଦା କରାଯାଇଛି ।