ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନଇବାଲିରେ ପଡିଥିଲା ମୃତଦେହ । ତାହା ପୁଣି ଅଧାପୋଡା ଅବସ୍ଥାରେ । ତେବେ କିଏ ଏହି ଯୁବକ? କେମିତି ଘଟିଲା ଏହି କାଣ୍ଡ? ଏହି ସଡଯନ୍ତ୍ର ପଛରେ ହାତ କାହାର? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ମଞ୍ଚେଶ୍ୱର ପୁଲିସ । ବୁଧବାର କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ପରେ ଘଟଣାର ଛାନଭିନ ଆରମ୍ଭ କରିଛି ପୁଲିସ । ଖାଲି ଏତିକି ନୁହେଁ ମୃତଦେହ ନିକଟରୁ ପୁଲିସ ଏକ ଲ୍ୟାପଟପ, ଅଧା ଜଳିଥିବା ପେନଡ୍ରାଇଭ ଓ ଜଣେ ଯୁବତୀଙ୍କ ଚପଲ ଜବତ କରିଥିବା ଜଣାପଡିଛି ।
ସୂଚନାମୁତାବକ, ନଦୀପଠାରେ ଅଧାପୋଡା ମୃତଦେହ ପଡିଥିବା ପୁଲିସକୁ ଖବର ମିଳିଥିଲା । ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସେପଟେ ମୃତବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛି । ଖାଲି ଏତିକି ନୁହେଁ ମୃତ ବ୍ୟକ୍ତି ଏକ ନୀଳ ରଙ୍ଗର ଟି-ସାର୍ଟ ପିଦ୍ଧିଥିବା ବେଳେ ତାଙ୍କ ବୟସ ୩୦ରୁ ୩୫ ଭିତରେ ହେବ ବୋଲି ପୁଲିସ ଅନୁମାନ କରୁଛି । ଯୁବକ ଜଣଙ୍କୁ କେହି ମାରି ଜାଳି ଦେଇଥିବା କୁହାଯାଉଛି ।
ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରୁ ଲ୍ୟାପଟପ, ପେନଡ୍ରାଇଭ ଓ ଜଣେ ଯୁବତୀଙ୍କ ଚପଲ ମିଳିବା ପ୍ରମାଣ କରୁଛି ଯେ ଘଟଣା ପଛରେ ଏକାଧିକ ଲୋକଙ୍କ ହାତ ରହିଛି । ଅନ୍ୟପଟରେ ଯଦି ମହିଳା ଜଣଙ୍କ ଚପଲ ଜବତ ହୋଇଥିବା ଶୁଣିବାକୁ ମିଳୁଛି ତାହାଲେ ସେହି ମହିଳା ଜଣଙ୍କ ଗଲେ କୁଆଡେ? ଏନେଇ ପୁଲିସ ଘଟଣାସ୍ଥଳରେ କିଛି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।