ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚା’ ଦେବାରେ ବିଳମ୍ବ କରିବାରୁ ଦୋକାନୀଙ୍କ ଉପରକୁ ଗରମ ତେଲ ଫୋପାଡିଲେ ଗ୍ରାହକ । ଏହିଭଳି ଏକ ଅମାନୁଷିକ ଘଟଣା ନୟାଗଡ ଜିଲ୍ଲା ବକଳବନ୍ଧ ଗାଁରେ ଦେଖିବାକୁ ମିଳିଛି । ଦୋକାନୀ ଜଣଙ୍କ ବକଳବନ୍ଧ ଗାଁର କୃଷ୍ଣ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ।
ରିପୋର୍ଟ ଅନୂଯାୟୀ, ବକଳବନ୍ଧ ଗାଁର କୃଷ୍ଣ ଚନ୍ଦ୍ର ସାହୁ ଏକ ଛୋଟିଆ ଜଳଖିଆ ଦୋକାନ କରି ନିଜ ପେଟ ପୋଷନ୍ତି । ନିତି ଦିନ ଭଳି ଆଜି ମଧ୍ୟ କୃଷ୍ଣଙ୍କ ଦୋକାନରେ ଗହଳି ହୋଇଥିଲା । ଲୋକମାନେ ଦେଇଥିବା ନିଜ ଅର୍ଡର ଆସିବା ପାଇଁ ଅପେକ୍ଷା କରିଥିଲେ । ସେହି ସମୟରେ ଯୁଗଳ ବରାଦ ନାମକ ଜଣେ ବ୍ୟକ୍ତି ତାଙ୍କ ଦୋକାନକୁ ଚାହା ପିଇବା ପାଇଁ ଆସିଥିଲେ । ଯୁଗଳ ଦେଇଥିବା ଚା’ ଅର୍ଡର ଟିକେ ଡେରି ହୋଇଥିବାରୁ ଉତକ୍ଷିପ୍ତ ହୋଇ କୃଷ୍ଣଙ୍କ ସହିତ ଝଗଡା କରିବା ସହିତ ଦୋକାନ ଭଙ୍ଗାରୁଜା କରିଥିଲେ । ଏତିକିରେ ତାଙ୍କ ମନ ଶାନ୍ତି ନହେବାରୁ କୃଷ୍ଣଙ୍କ ଉପରକୁ ଦୋକାନ କଡେଇରେ ଥିବା ଗରମ ତେଲ ଫୋପାଡି ଦେଇଥିଲେ । ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ତାଙ୍କ ଶରୀରର ୪୫ଭାଗ ପୋଡିଯାଇଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି ।