ବାଲେଶ୍ୱର (ଏଟିଆର ବ୍ୟୁରୋ): ସଭିଏଁ ପଢିବେ ସଭିଏଁ ବଢିବେ । ପାଠ ପଢିବେ ଆଗକୁ ବଢିବେ, ଏହିଭଳି ଅନେକ ଭାବନାର ସହ ପିଲାମାନଙ୍କୁ ନିଜ ଠାରୁ ଦୂରରେ ରଖି ଆବାସିକ ସ୍କୁଲକୁ ଛାଡି ଦେଇଥାନ୍ତି ବାପାମା’ । ଆବାସିକ ସ୍କୁଲରେ ସଠିକ ପାଠ ପଢା , ଖାଦ୍ୟ ପାନୀୟ ସାଙ୍ଗକୁ ତାଙ୍କ ପିଲାମାନେ ସୁରକ୍ଷିତ ରହିବେ ବୋଲି ଆଶା କରିଥାନ୍ତି ବାପାମା’ । ହେଲେ ଅନେକ ସମୟରେ ଏହି ଆବାସିକ ସ୍କୁଲରେ ଏପରି କିଛି ଘଟି ଯାଏ ଯାହାକୁ ଦେଖି ବାପାମା’ଙ୍କର ଆଶା ଭାଙ୍ଗି ଚୁନା ହୋଇଯାଉଛି । ସେହିଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଆବାସିକ ସ୍କୁଲରେ ।
ମିଳିଥିବା ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଅଞ୍ଚଳର ଦୁଇ ଭଉଣୀ ନିଜ ଗୋଡରେ ଠିଆ ହେବା ପାଇଁ ପରିବାର ଲୋକଙ୍କୁ ଛାଡି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟରେ ପାଠ ପଢୁଥିଲେ । ହେଲେ ସେହି ବିଦ୍ୟାଳୟରେ ଶିକ୍ଷକ ଓ କିଛି ଛାତ୍ର ମିଶି ବଡ ଭଉଣୀ ସହ ଦୁଷ୍କର୍ମ କରିଛନ୍ତି । ପୀଡିତା ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି । ହଠାତ ବଡ ଭଉଣୀ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ମା’ଙ୍କୁ ଖବର ଦିଆଯାଇଥିଲା । ଝିଅର ଅବସ୍ଥା ଦେଖି ତାଙ୍କୁ କଟକର ବଡ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ପରୀକ୍ଷା କରି ଝିଅର ଅବସ୍ଥା ଗୁରୁତ୍ୱ ଥିବାର ଦେଖି ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ ।
ସେପଟେ ବାପା ସାନ ଭଉଣୀଠାରୁ ସମସ୍ତ ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ସୋର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ବାବଦରେ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ଅଟକ ରଖିଛି । ସେହିଭଳି କେତେକ ଛାତ୍ରଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ପୋଲିସର ଏକ ସ୍ୱତନ୍ତ୍ର ଟିମ କଟକ ଯାଇ ଘଟଣାର ତଦନ୍ତ ଜାରୀ ରଖିଛି ।