ଜଗତସିଂହପୁର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲ ଏବେ ଉପକୂଳ ମୁହାଁ ହୋଇଛି । ଏହାର ପ୍ରଭାବରେ ଏବେ ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ପାରାଦୀପରେ ଗତକାଲି ସନ୍ଧ୍ୟା ଠାରୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ ମଧ୍ୟ ରାତ୍ରିରୁ ପବନ ମଧ୍ୟ ଆରମ୍ଭ ହୋଇ ଯାଇଛି । ପାରାଦୀପରେ ବୁଲବୁଲ କେତେକ ସ୍ଥାନରେ ତାର ତାଣ୍ଡବ ମଧ୍ୟ ଦେଖାଇଛି । ସମୁଦ୍ର ଉପକୂଳିଆ କେତେକ ସ୍ଥାନରେ ବଡବଡ ଗଛକୁ ମଧ୍ୟ ଉପାଡି ସାରିଲାଣି ବୁଲବୁଲ ।
ବର୍ତ୍ତମାନ ଏହା ପାରାଦୀପ ଠାରୁ ୧୨୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି । ବୁଲବୁଲ ଏବେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ଆଜି ସ୍ଥଳଭାଗରେ ମାଡ଼ ହେବ ସାମୁଦ୍ରିକ ବାତ୍ୟା ବୁଲବୁଲ । ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳ ଦେଇ ସ୍ଥଳ ଭାଗକୁ ପ୍ରବେଶ କରିବ । ସୁନ୍ଦରବନର ଡେଲ୍ଟା ଅଞ୍ଚଳରେ ଏହା ସ୍ଥଳ ଭାଗରେ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି। ସେହିଭଳି ଆମେ ଯଦି ଓଡିଶା କଥା ଦେଖିବା ଆଜି ୧୦ ଟାରୁ ୧୧ ଟା ମଧ୍ୟରେ ଏହା ପାରାଦୀପ ଉପକୂଳ ଦେଇ ଗତି କରିବ । ଏହି ସମୟରେ ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି ।