ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସାମ୍ନାକୁ ଆସିଛି ଆଉ ଏକ ଘୋଟାଲା । ମାନ୍ୟବର ଗ୍ରୀନ୍ ଟ୍ରିବ୍ୟୁନାଲ୍ଙ୍କ ରିପୋର୍ଟରୁ ଧରାପଡିଛି ନବୀନ ପଟ୍ଟନାୟକଙ୍କ ସରକାରରେ ବାବୁଙ୍କ ସହଯୋଗରେ ଚାଲିଥିବା ହଜାର ହଜାର କୋଟି ଟଙ୍କାର ବେଆଇନ୍ ଖଣି କାରବାର । ଶାହା କମିଶନଙ୍କ ତଦନ୍ତ ପରେ ମଧ୍ୟ ବନ୍ଦ ହୋଇନାହିଁ ଖଣି ଘୋଟାଲା । ତା’ର ସବୁଠୁ ବଡ ଉଦାହରଣ ହେଉଛି ଡଙ୍କାରୀ ପାହାଡ ବେଆଇନ୍ ଖଣି କାରବାର ।
ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଡଙ୍କାରୀ ଖଣି ଘୋଟାଲାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟି କରିବା ସହ ଏ କେଳେଙ୍କାରୀର ଗଡଫାଦର ନିଜେ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀ ନାୟକ ଏହି ବେଆଇନ୍ କାରବାରରେ ସରକାରଙ୍କ ସିଧାସଳଖ ସଂପୃକ୍ତି ନେଇ ପ୍ରମାଣଯୋଗ୍ୟ ସରକାରୀ କାଗଜପତ୍ର ଦେଖାଇବା ସହିତ ଅଭିଯୋଗର ଚିଠା ମଧ୍ୟ ଦେଇଛନ୍ତି । ଏଥିରେ ସ୍ୱାଭାବିକ ଭାବେ ପ୍ରଶ୍ନ ଆସୁଛି ଯେ ଏ ଯାଏଁ କାହିଁକି ଏ ସମସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ଏ ସମସ୍ତ ଘଟଣା ସତ୍ୱେ କାହିଁକି ଜିଲ୍ଲାପାଳଙ୍କ ବିରୁଦ୍ଧରେ ତଦନ୍ତ କରାନଯାଇ ଓଲଟା ଜିଲ୍ଲାପାଳଙ୍କୁ ତଦନ୍ତ କରିବାର କ୍ଷମତା ରାଜ୍ୟ ସରକାର ଦେଇଦେଲେ ତାକୁ ନେଇ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଅଭିଯୁକ୍ତ ଲିଜ୍ଧାରୀ ଶ୍ରୀବାସ ଜେନା ବିଜେଡିର ଜଣେ ଆଗଧାଡିର ନେତା ଓ ନବୀନଙ୍କ ସହ ତାଙ୍କର ନିବିଡ ସଂପର୍କ ଅଛି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ଏ ନେଇ ଶ୍ରୀବାସ ଜେନା ଓ ନବୀନ ପଟ୍ଟନାୟକ ଗୋଟିଏ ମଂଚରେ ଏକାଠି ଯୋଗଦେବାର ଫଟୋ ମଧ୍ୟ ମିଡିଆ ସେଲ୍ ମୁଖ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲେ । ବିଜେଡି ମୁଖିଆ ତଥା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଓ ସୁରକ୍ଷା ଯୋଗୁଁ ଶହ ଶହ କୋଟିର ଡଙ୍କାରୀ ଖଣି ଘୋଟାଲା ବର୍ଷ ବର୍ଷ ଧରି ବେଧଡକ ଚାଲୁଥିଲା ।
ମାନ୍ୟବର ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ରାୟ, ରାଜ୍ୟ ସରକାର ଓ ତାଙ୍କ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ଲିଜ୍ଧାରୀଙ୍କ ମଧ୍ୟରେ ସୁସଂପର୍କ ଓ ପ୍ରୋତ୍ସାହନର ମୁଖା ଖୋଲି ଦେଇଛି । ଏପରିକି ଅଭିଯୁକ୍ତ ସରକାରୀ ବାବୁଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ ମଧ୍ୟ ମାନ୍ୟବର ଗ୍ରୀନ୍ ଟ୍ରିବ୍ୟୁନାଲ୍ ତାଙ୍କ ରାୟରେ କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ ବିଜେଡି ସରକାର ଓ ବିଜେଡି ନେତାଙ୍କ ଦ୍ୱାରା ଖଣି ଘୋଟାଲା ବର୍ତମାନ ମଧ୍ୟ ଚାଲୁଅଛି ଏବଂ ଅଭିଯୁକ୍ତଙ୍କ ପାଖରୁ ବିଜେଡି ଚାନ୍ଦା ସଂଗ୍ରହ କରୁଛି ବୋଲି ପ୍ରଦେଶ କଂଗେସ ଅଭିଯୋଗ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।