ବ୍ରହ୍ମପୁର (ଏଟିଆର ବ୍ୟୁରୋ); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ୨୦୦୯ ମସିହାରେ ପୁନର୍ଗଠିତ ହୋଇଛି । ଗତ ଦୁଇଟି ନିର୍ବାଚନରେ ଏଠାରେ ବିଜେଡି ବିଜୟ ବାନା ଉଡାଇଛି । ବିଜେଡି ପକ୍ଷରୁ ଏଠାରେ ପ୍ରାର୍ଥୀ ହୋଇ ଦୁଇ ଥର ଜିତିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଏବେ ଦଳୀୟ ଟିକେଟ ହାସଲ କରି ହାଟ୍ରିକ ମାରିବା ଲକ୍ଷ୍ୟରେ ରହିଛନ୍ତି ସୂର୍ଯ୍ୟ । ତେବେ ସୂର୍ଯ୍ୟଙ୍କ ବିଜୟରେ ବ୍ରେକ ଲଗାଇବା ପାଇଁ ଜୋରଦାର ରଣ କୌଶଳ ପ୍ରସ୍ତୁତ କରୁଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇ ଭୋଟରଙ୍କ ମନମୋହିବା ପାଇଁ ଆରମ୍ଭ କରି ଦେଇଛନ୍ତି ବିରୋଧୀ ।
ତେବେ ଏଠାରେ ବିଜେଡି ପକ୍ଷରୁ ସୂର୍ଯ୍ୟ ଏକମାତ୍ର ପ୍ରାର୍ଥୀ ଥିବା ବେଳେ ବିଜେପି ଏବଂ କଂଗ୍ରେସରେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ବିରୋଧୀମାନଙ୍କ ଟିକେଟ ପାଇଁ ଦଳୀୟ କନ୍ଦଳ ସୂର୍ଯ୍ୟଙ୍କ ବିଜୟ ସହଜ କରିଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଦୀର୍ଘ ୧୦ ବର୍ଷ ଶାସନ ଗାଦିରେ ରହିଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ପାଣି ସମସ୍ୟା,ଧାନ କିଣାରେ ଅବ୍ୟବସ୍ଥା ଏବଂ ଆଦିବାସୀ ଅଞ୍ଚଳରେ ବିକାଶ ନକରିବା ଆଦି ପ୍ରସଙ୍ଗ ସୂର୍ଯ୍ୟଙ୍କୁ ନିର୍ବାଚନରେ ଅଡୁଆ ସୃଷ୍ଟି କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଓଡିଶାରେ ବହୁ ଚର୍ଚ୍ଚିତ ଚିଟଫଣ୍ଡ ମାମଲାରେ ମନ୍ତ୍ରୀଙ୍କ ପୁଅ ସମ୍ପୃକ୍ତି ଥିବା ଶୁଣିବାକୁ ମିଳିଥିଲା । ଏଣୁ ଆଗାମୀ ନିର୍ବାଚନୀ ବୈତରଣୀ ସୂର୍ଯ୍ୟଙ୍କ ପାଇଁ ଏତେ ସହଜ ହୋଇନପାରେ ।
ସୂଯ୍ୟ ପାତ୍ରଙ୍କ ବିରୋଧରେ ବିରୋଧୀମାନେ ଏହି ନାରା ଦେଇ ପ୍ରଚାର ଆରମ୍ଭ କରିଦେଇଛନ୍ତି । କିନ୍ତୁ ଶ୍ରୀ ପାତ୍ରଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ଭଳି ସ୍ଥନୀୟ ନିର୍ବାଚନ ମଣ୍ଡଳୀରେ କେହି ତୁଙ୍ଗ ନେତା ନଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏଠାରେ ବିଜେପି ପକ୍ଷରୁ ଉତ୍ତମ ପାଣିଗ୍ରାହୀ, ମହନ୍ତ ଚିନ୍ମୟ ମହାରାଜ, ଶ୍ରୀକାନ୍ତ ପାଢୀ ଓ ସିଦ୍ଧାନ୍ତ ଗଙ୍ଗଦେବ ଭଳି ପ୍ରମୁଖ ଆଶାୟୀ ଟିକେଟ୍ ଲବିରେ ଅଛନ୍ତି ।ଗତ ଦୁଇଟି ନିର୍ବାଚନରେ ବିଜେପି ଏଠାରେ ପଛରେ ରହି ଆସିଛି । ସେପଟେ କଂଗ୍ରେସ ପକ୍ଷରୁ ମଧ୍ୟ ବହୁ ନେତା ଆଶାୟୀ ଅଛନ୍ତି । ତେବେ ଏହି ଆଶାୟୀ ପ୍ରାର୍ଥୀମାନେ ହେଲେ ସାକା ସୁଜିତ କୁମାର,ଶ୍ରୀଧର ଦେବଏବଂ ପ୍ରଫୁଲ୍ଲ ପଣ୍ଡା । କଂଗ୍ରେସ ଏବଂ ବିଜେପିର ଟିକେଟ କଳି ସୂର୍ଯ୍ୟଙ୍କ ପାଇଁ ବିଜୟ ସହଜ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏବେ ବାକି ରହିଲା କିଏ କେଉଁ ଦଳରୁ ଟିକେଟ ପାଉଛି ଏବଂ ଦିଗପହଣ୍ଡିବାସୀ କାହା ମୁଣ୍ଡରେ ମୁକୁଟ ପିନ୍ଧାଉଛନ୍ତି ।