ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଅପ୍ରେଲ ମାସରେ ଖାଲି ହେଉଥିବା ୪ ଟି ରାଜ୍ୟ ସଭା ଆସନ ପାଇଁ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । କେଉଁମାନେ ସବୁ ଏଥର ରାଜ୍ୟ ସଭାକୁ ଯାଉଛନ୍ତି ତାକୁ ନେଇ ଉଭୟ ସରକାରୀ ଦଳ ବିରୋଧୀଙ୍କ ମଧ୍ୟରେ ଅଙ୍କକଷା ମଧ୍ୟ ଆରମ୍ଭ ହୋଇ ଗଲାଣି । ତେବେ ଏଥର ଆରମ୍ଭରୁ ହିଁ ଅଧିକ ଚର୍ଚ୍ଚାରେ ରହି ଆସିଛନ୍ତି ଗତ ନିର୍ବାଚନ ସମୟରେ ବିଜେପି ଛାଡିଥିବା ଦିଲ୍ଲୀପ ରାୟ । ୪ ଟି ଆସନରୁ ୩ ଟିରେ ବିଜେଡି ପ୍ରାର୍ଥୀ ଦେଉଥିବା ବେଳେ ୪ ର୍ଥ ଆସନ ପାଇଁ ବିଜେପି ଓ ବିଜେଡିର ମିଳିତ ସହଯୋଗରେ ବିଜେପି ରାଜ୍ୟସଭାକୁ ଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କାରଣ ଏବେ ବିଜେଡି ଓ ବିଜେପିର ଦିଲ୍ଲୀପଙ୍କ ଉପରେ ନଜର ରହିଥିବା ଆଲୋଚନା ହେଉଛି । ସେହିଭଳି ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ରାଜ୍ୟ ସଭାକୁ ନେଇ ଡିଲ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ କହିଛନ୍ତି ବିଜେଡି ବିଜେପି ରାଜ୍ୟସଭା ଆସନକୁ ଅଧାଅଧା କରିବାକୁ ଯୋଜନା କରୁଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା କେଉଁ ପାଣି କୁଆଡେ ଯାଉଛି ।