ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରସଗୋଲାକୁ ନେଇ ଓଡିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିଲା ଲଢ଼େଇ । ପଶ୍ଚିମବଙ୍ଗ ରସଗୋଲାର ଉତ୍ପତିସ୍ଥଳ ବୋଲି ଯୁକ୍ତି ବାଢ଼ିଥିବା ବେଳେ ରସଗୋଲା ଓଡିଶାର ବୋଲି କୁହାଯାଉଥିଲା । ଦୁଇ ରାଜ୍ୟ ମଧ୍ୟରେ ମିଠାକୁ ନେଇ ପିତା ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା । ୨୦୧୮ ଅଗଷ୍ଟ ୧୭ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ଦାବି ନେଇ ନଥିପତ୍ର ଦାଖଲ ହୋଇଥିଲା। ଆଜି ଏ ନେଇ ଜିଆଇ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍ । ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲାଗି ରହିଥିବା ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ । ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଦୀର୍ଘଦିନରୁ ରାଜ୍ୟ ସରକାର ଦାବି କରି ଆସୁଥିବା ବେଳେ ଏବେ ଓଡ଼ିଶା ରସଗୋଲା ଭାବେ ଜିଆଇ ମାନ୍ୟତା ମିଳିଛି ।
ଏହାପୂର୍ବରୁ ପଶ୍ଚିମବଙ୍ଗ ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିଥିଲା । ବାଂଲା ରସଗୋଲା ଭାବେ ଏହାକୁ ଜିଆଇ ଟ୍ୟାଗ୍ ମିଳିଥିଲା । ତେବେ ଏଥିରେ ରାଜ୍ୟ ସରକାର ଅସନ୍ତୋଷ ଜାହିର କରିବା ସହ ଓଡ଼ିଶା ରସଗୋଲାକୁ ମଧ୍ୟ ଜିଆଇ ଟ୍ୟାଗ୍ ଦେବାକୁ ଦାବି କରିଥିଲେ । ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ଦେବାକୁ ଏକ କମିଟି ମଧ୍ୟ ଗଠନ କରିଥିଲେ ରାଜ୍ୟ ସରକାର । ଆଉ ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ଦାବି ପରେ ଓଡ଼ିଶା ରସଗୋଲା ଉପରେ ଜିଆଇ ଟ୍ୟାଗର ମୋହର ବାଜିଛି ।