ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମୋବାଇଲ ଚାର୍ଜରେ ବସାଇ କଥା ହେଉଛନ୍ତି କି? ତେବେ ସାବଧାନ । କାରଣ କେତେବେଳେ ବି ଘଟିପାରେ ଅଘଟଣ । ହୁଏତ ଆପଣଙ୍କ ଜୀବନ ବି ଯାଇପାରେ । ଆମେ ଆପଣଙ୍କୁ ଭୟଭିତ କରୁନାହୁଁ । କିନ୍ତୁ ବାସ୍ତବରେ ଏପରି ଘଟିପାରେ । ଝାରସୁଗୁଡାରେ ବି ଏମିତି ଏକ ଅଘଟଣ ଘଟିଛି । ଯାହା କେବଳ ଝାରସୁଗୁଡା ନୁହେଁ ଏବେ ପୂରା ଓଡିଶାରେ ଆତଙ୍କ ଖେଳାଇ ଦେଇଛି । ଖାସ କରି ମୋବାଇଲ ଧରୁଥିବା ଲୋକଙ୍କୁ ଏହା ବେଶ ଚିନ୍ତାରେ ପକାଇଛି ।
ପୁଲିସ ରିପୋର୍ଟ ଅନୁସାରେ, ଝାରସୁଗୁଡାର ଲାଇକେରା ଖରିଆକାନୀ ଗାଁରେ ହିଁ ଘଟିଛି ଏହି ଅଘଟଣ । ୧୯ ବର୍ଷର ଯୁବତୀ ଉମା ଓରାମ ମୋବାଇଲ ଚାର୍ଜ ବସାଇ କଥା ହେଉଥିଲେ । ଆଉ ଠିକ ଏହି ସମୟରେ ମୋବାଇଲଟି ଫାଟିଯାଇଥିଲା । ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ଲାଗି ତାଙ୍କୁ ହସପିଟାଲ ନିଆ ଯାଇଥିଲେ ମଧ୍ୟ ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।