ସମ୍ବଲପୁର (ଏଟିଆର ବ୍ୟୁରୋ); ଗିରଫ ହେଲା ନକଲି ଆରଟିଓ । ନିଜକୁ ଆରଟିଓର ପରିଚୟ ଦେଇ ରାସ୍ତାରୁ ଲୋକଙ୍କ ଠାରୁ ଶହ ଶହ ଟଙ୍କା ଲୁଟୁଥିଲା । ଏହି ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲା ରାମ ମେହେରା । ତା ଘର ହୀରାକୁଦ ଅଞ୍ଚଳରେ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ସମ୍ପୃକ୍ତଥିବା ଆଉ ଦୁଇଜଣ ଫେରାର ହୋଇ ଯାଇଛନ୍ତି । ଏହି ଘଟଣାର ଅଧିକ ସତ୍ୟ ଜାଣିବା ପାଇଁ ତଦନ୍ତ ଜାରି କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ରାମ ଏବଂ ତାର ୨ ସହଯୋଗୀ ଆରଟିଓ କହି କୋଲକାତା ମୁମ୍ବାଇ ରାସ୍ତାରେ ଗାଡି ଅଟକାଇ ଲୋକଙ୍କ କାଗଜ ପତ୍ର ଚେକ କରୁଥିଲେ । ଏବଂ ଡ୍ରାଇଭରଙ୍କୁ ଡରାଇ ସେମାନଙ୍କ ପାଖରୁ ଟଙ୍କା ଲୁଟୁଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଏହି ଖବର ପାଇବା ପରେ ପୋଲିସ ଯାଇ ସେମାନଙ୍କ ଉପରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖିବା ପରେ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ପୋଲିସ ହାବୁଡରେ ପଡି ଯାଇଥିଲା ରାମ । ପରେ ପୋଲିସ ରାମକୁ ଗିରଫ କରିଛି । ଫେରାର ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ସୂଚନା ଦେଇଛି ।