ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଆମରଣ ଅନଶନରେ ବସିବେ ଚାଷୀ ନେତା ତଥା ନିବନିର୍ମାଣ କୃଷକ ସମିତିର ପ୍ରତିଷ୍ଠାତା ଅକ୍ଷୟ କୁମାର । ଆସନ୍ତା କାଲି ଠାରୁ ଅକ୍ଷୟ ଅନଶନରେ ବସିବେ ବୋଲି ସୂଚନା ଦେଇଛନ୍ତି । ରାଜ୍ୟର ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପ୍ରଦାନ ଦାବୀରେ ସେ ଏହି ଆମରଣ ଅନଶନରେ ବସିବେ ବୋଲି କହିବା ସହ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରିଥିବା କହିଛନ୍ତି ।
ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଚାଷୀମାନଙ୍କୁ ଦାବୀ ପ୍ରତି ସରକାର ଯତ୍ନବାନ ଥିଲେ ପ୍ରଥମେ ଅଧ୍ୟାଦେଶ ଆଣନ୍ତୁ ପରେ ମନ୍ତ୍ରୀସ୍ତରୀୟ ଆଲୋଚନା ଓ ବୈଠକ କରିବେ । ଏହାସହ ସେ ଚାଷୀମାନଙ୍କ ସମସ୍ୟା ନେଇ ଗଠିତ ମନ୍ତ୍ରୀସ୍ତରୀୟ କମିଟିକୁ ନାପସନ୍ଦ କରିଛନ୍ତି । ରାଜ୍ୟରେ ଡାକ୍ତର, ଇଂଜିନିୟର ଓ ପୁଲିସ କର୍ମଚାରୀଙ୍କ ପାଇଁ ପେନସନର ବ୍ୟବସ୍ଥା ଥିବା ବେଳେ ଅର୍ଥନୀତିର ମେରୁଦଣ୍ଡ ଚାଷୀମାନଙ୍କୁ କ୍ଷେତ୍ରରେ ଏହା ଲାଗୁ ନହେବାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅକ୍ଷୟ । ତେଣୁ ରାଜ୍ୟର ୩୬ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ହଜାର ଟଙ୍କା ଲେଖାଏଁ ପେନସନର ବ୍ୟବସ୍ଥା କରିବାକୁ ସେ ଦାବୀ କରିଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ସେ ଆସନ୍ତା କାଲି ଠାରୁ ଆମରଣ ଅନଶନ କରିବେ ବୋଲି ସୂଚନା ଦେଇଛନ୍ତି ।