ବୌଦ୍ଧ (ଏଟିଆର ବ୍ୟୁରୋ): ଗତକାଲି ଉଦଘାଟିତ ହୋଇଯାଇଛି ତୃତୀୟ ଗଡଜାତ ମହୋତ୍ସବ ।ବୌଦ୍ଧ ଜିଲ୍ଲାର ହରଭଙ୍ଗା ବୀରସିଂହପୁର ସ୍ଥିତ ସାଧୁଚରଣ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଗଡଜାତ ମହୋତ୍ସବ । ସୁବର୍ଣ୍ଣମେରୁ ମହାଦେବ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ମହୋତ୍ସବ ପଡିଆରେ ପହଞ୍ଚିଥିଲା । ପୂଜାର୍ଚ୍ଚନା ପରେ ସେଠାରେ ଉପସ୍ଥିତ ଥିବା ଅତିଥି ତଥା କନ୍ଧମାଳର ସାଂସଦ ଅଚ୍ୟୁତ ସାମନ୍ତ ଓ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ପ୍ରମୁଖ ମହୋତ୍ସବର ଶୁଭ ଉଦଘାଟନ କରିଥିଲେ । ଉଦଘାଟନୀ ସଂନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରୁ ନୃତ୍ୟଶିଳ୍ପୀମାନେ ଆସି ସେମାନଙ୍କର କଳାକୁ ପରିବେଷଣ କରିଥିଲେ ।
ଭୁବନେଶ୍ୱରର ଓଡିଶୀ ନୃତ୍ୟ, ଭବାନୀପାଟଣାର ଢାପ ନୃତ୍ୟ, ବାରିପଦାର ଗୋକୁଳା ଚନ୍ଦ୍ର ଛଉ ନୃତ୍ୟ ପ୍ରତିଷ୍ଠାନର ଛଉ ଓ ଝୁମେର ଏବଂ ବଲାଙ୍ଗିରର ବାଙ୍ଗିର କଳା ପରିଷଦର ପତରତୁଳା ସାଙ୍ଗ ସରସା ନୃତ୍ୟ ପରିବେଷଣ କରିଥିଲା । ବହୁସଂଖ୍ୟାରେ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ରହିବା ସହ ମହୋତ୍ସବର ସଂନ୍ଧ୍ୟାକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା ।