ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶ ନାମା ଜାରି କରାଯାଇଛି । କେବଳ କେନ୍ଦ୍ର ସରକାର ନୁହନ୍ତି ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନିର୍ଦ୍ଦେଶ ନାମା ଜାରି କରିବା ସହ ଏହାକୁ ଖିଲାପ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବାହାରୁ ଆସୁଥିବା ଲୋକ ୪୮ଘଣ୍ଟା ମଧ୍ୟରେ ନିଜର ସମସ୍ତ ତଥ୍ୟ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ତେବେ ଏହି ନିର୍ଦ୍ଦେଶ ନାମାକୁ କିଛି ଲୋକ ଖାତିରି କରୁନଥିବା ଦେଖିବାକୁ ମିଳୁଛି । ଖାଲି ସେତେକି ନୁହେଁ, ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ହୋଟେଲ ଓ ଗେଷ୍ଟ ହାଉସରେ ରହୁଥିଲେ ସରକାରଙ୍କୁ ସୂଚନା ଦେବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହାକୁ ବେଖାତିର କରି କିଛି ହୋଟେଲ ଓ ଗେଷ୍ଟହାଉସ ମାଲିକ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅବମାନନା କରିଛନ୍ତି। ତେବେ ରାଜ୍ୟ ସରକାର କରୋନା ରୋଗକୁ ନେଇ ଅଧିକ ତତ୍ପର ଥିବା ବେଳେ ଏହାକୁ ରୋକିବା ପାଇଁ ବିଭିନ୍ନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି । ଆଜି ବିଏମ୍ସି , ବିଡିଏ ଓ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ହୋଟେଲ, ଗେଷ୍ଟହାଉସ ଉପରେ ଚଢାଉ କରାଯାଉଛି ।
ଏହି ଗେଷ୍ଟହାଉସ ଗୁଡିକ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ସଂପର୍କରେ ସୂଚନା ଦେଇ ନ ଥିବାରୁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଭୁବନେଶ୍ୱରର ୫ଟି ହୋଟେଲ ଉପରେ ଚଢ଼ଉ ହୋଇଥିବା ବେଳେ ଜୟଦେବ ବିହାରସ୍ଥିତ ଏକ ଗେଷ୍ଟ ହାଉସକୁ ସିଲ୍ କରି ଦିଆଯାଇଛି। ସୂଚନାନୁଯାୟୀ, ମହାରାଷ୍ଟ୍ର ଓ ଦିଲ୍ଲୀରୁ ଆସିଥିବା ପର୍ଯ୍ୟଟକ ସେଠାରେ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ରହିଥିଲେ। ତେବେ ଗେଷ୍ଟ ହାଉସ ପକ୍ଷରୁ ପ୍ରଶାସନକୁ ଏନେଇ ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି। ଅଭିଯୋଗ ଉପରେ ତୁରନ୍ତ ଦୃଷ୍ଟି ଦିଆଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।