ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣୀ ହେଇଛି । ପୂର୍ବରୁ ରଥଯାତ୍ରା ବନ୍ଦ ରଖିବା ପାଇଁ ସୁର୍ପ୍ରିମକୋର୍ଟ ପକ୍ଷରୁ ଶୁଣାଣୀ ହୋଇଥିଲା । ଏହାପରେ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା । ତେବେ ରଥଯାତ୍ରାକୁ କେନ୍ଦ୍ର ସରକାରଙ୍କ ସମର୍ଥନ କରିଥିଲେ । କୋଭିଡ ନିୟମକୁ ପାଳନକରି ରଥଯାତ୍ରା କରିବା ସପକ୍ଷରେ କେନ୍ଦ୍ର ସରକାର ଥିଲେ । ବିନା ଭକ୍ତରେ ରଥଯାତ୍ରାକୁ ଅନୁମତି ଦେବା ପାଇଁ କେନ୍ଦ୍ରର ସହମତି ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ଲଢୁଥିଲେ । ତୁଷାର ମେହେଟ୍ଟାଙ୍କ କହିଥିଲେ ଯେ, ଶହଶହ ବର୍ଷର ପରମ୍ପରାକୁ ବନ୍ଦ କରାଯାଇପାରିବ ନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଂଜୀବ ମିଶ୍ର ସତ୍ୟପାଠ ଦାଖଲ କରିଥିଲେ । ଗଜପତି ମହାରାଜଙ୍କ ପ୍ରସ୍ତାବ କ୍ରମେ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖୁଥିଲେ ହରିଶ ସାଲଭେ । ତେବେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏସ୍ ଏ ବୋବେଡଙ୍କ ଜଷ୍ଟିସ ନେତୃତ୍ୱାଧିନ ୩ ଜଣିଆ ଖଣ୍ଡପୀଠ ଆଜି ରଥଯାତ୍ରା ଉପରେ ଶୁଣାଣୀ କରିଛନ୍ତି । ଜଷ୍ଟିସ ବୋପାନ୍ନା ଓ ଜଷ୍ଟିସ ମାହେଶ୍ୱରୀ ଖଣ୍ଡପୀଠରେ ସାମିଲଥିଲେ । ଖଣ୍ଡପୀଠ କହିବା ଅନୁସାରେ, ଚଳିତ ବର୍ଷ ଗଡିବ ରଥ । କଟକଣା ଭିତରେ ରଥଯାତ୍ରା ହୋଇପାରିବ । ରଥଯାତ୍ରା କରିବା ପାଇଁ ଅନୁମତି ପ୍ରଦାନ କଲେ ସୁପ୍ରିମକୋର୍ଟ । କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମିତି ଦିଆଯାଇଛି । ବିନା ଭକ୍ତରେ ଗଡିବ ରଥ । ନିର୍ଦ୍ଦିଷ୍ଟ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ । ରାଜ୍ୟ ସରକାର କଟକଣା ଜାରି କରିବେ ।
ସୂଚନାଯୋଗ୍ୟ ରଥଯାତ୍ରା ବନ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହି ଆବେଦନକୁ ହାଇକୋର୍ଟ ଖାରଜ କରି ରାଜ୍ୟ ସରକାର ରଥଯାତ୍ରା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବେ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା । ଏହାପରେ ଆବେଦନକାରୀ ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ କରିବା ପାଇଁ ଅପିଲ କରିଥିଲେ । ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ ପକ୍ଷରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ କୁହାଯାଇଥିଲା ।ଏହା ସହ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଥିଲା ଯେ, ଲୋକ ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନଜରରେ ରଖି ରଥଯାତ୍ରା ପାଇଁ ଅନୁମତି ଦିଆ ଯାଇପାରିବ ନାହିଁ । ବର୍ତ୍ତମାନ କରୋନା ମହାମାରୀ ବ୍ୟାପୁଥିବାରୁ ଲୋକ ମାନେ ସମାବେଶ ହେବାର ଅନୁମତି ଦିଆଯାଇପାରିବ ନାହିଁ । ଏଥିପାଇଁ ଅନୁମତି ଦେଲେ ମହାପ୍ରଭୁ ଆମକୁ କ୍ଷମା କରିବେ ନାହିଁ । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା ।