ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ଧଉଳି ଉପକଣ୍ଠରେ ପ୍ରତିଷ୍ଠା କରାଯିବ ଉତ୍କର୍ଷ କେନ୍ଦ୍ର । ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଆଦି ବିଷୟରେ ପିଲାମାନଙ୍କୁ କମ ସମୟ ସୀମା ଭିତରେ ଶିଷା ଦେବା ଲାଗି ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ରାଜ୍ୟ ସରକାରଙ୍କ ସହଯୋଗରେ ଚଣ୍ଡିଗଡ ପ୍ରାଚୀନ କଳାକେନ୍ଦ୍ର ପକ୍ଷରୁ ଗୁରୁକୁଳ ଢାଞ୍ଚାରେ ଶିକ୍ଷାଦେବା ଉଦ୍ଦେଶ୍ୟରେ ଧଉଳି ପାଦଦେଶ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ । ରାଜ୍ୟ ତଥା ରାଜ୍ୟ ବହାର ଛାତ୍ରଛାତ୍ରୀ ମାନେ ଏଠାରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଚିତ୍ରକଳା ଆଦିରେ ସାର୍ଟିଫିକେଟ କୋର୍ସ କରିପାରିବେ ।
୧୦ କୋଟି ଟଙ୍କାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଆକଳନ କରାଯାଇଛି । ଏହି କେନ୍ଦ୍ର ପାଇଁ କୃଷ୍ଣପୁର ମୌଜାରେ ଜମି ଚିହ୍ନଟ କରାଯାଇଛି । ପାଖାପାଖି ଅଢେଇ ଏକର ପରିମିତ ସ୍ଥାନରେ ଏହା ପ୍ରତିଷ୍ଠା ହେବ । ପ୍ରାଥମିକ ପର୍ଯ୍ୟାୟରେ ୫ କୋଟି ଟଙ୍କାରେ ଭିତ୍ତିଭୂମି ବିକାଶ କରାଯିବ । ଏହା ପରେ ଆଗାମୀ ୫ବର୍ଷ ମଧ୍ୟରେ ଏହାକୁ ରାଜ୍ୟର ଉନ୍ନତ ଉତ୍କର୍ଷ କେନ୍ଦ୍ର ପରିଣତ କରାଯିବ ବୋଲି ଚଣ୍ଡିଗଡ ପ୍ରାଚୀନ କଳାକେନ୍ଦ୍ର ସଚିବ ସଜଳ କୋଶର କହିଛନ୍ତି । ଏକ ଖବରଦାତା ସମ୍ମୀଳନୀରେ ସଜଳ କୋଶର କହିଛନ୍ତି ଯେ, ନିର୍ମାଣ ହେବାକୁ ଥିବା ଉତ୍କର୍ଷ କେନ୍ଦ୍ରରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯିବ । ପ୍ରତିବର୍ଷ ପ୍ରାୟ ୧ ହଜାର ଛାତ୍ରଛାତ୍ରୀଙ୍କ ପଢିବା ଲାଗି ବ୍ୟବସ୍ଥା କରାଯିବ । ଶିକ୍ଷାଦାନ ସାଙ୍ଗକୁ ଏଠାରେ ବିଭିନ୍ନ ପ୍ରକାରର କର୍ମଶାଳା, ଅଲୋଚନାଚକ୍ର ଆଦି ଅନୁଷ୍ଠିତ କରାଯିବ ବୋଲି ସେ କହିଛନ୍ତି ।