ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମାସେ ପୂର୍ବରୁ ଆଣ୍ଠେଇ ପେଟେଇ କାମ କଲେ । କାନ୍ଥ ବାଡ଼ରେ ବିଜ୍ଞାପନ ଲଗାଇ ନିଜର ବାହାଦୂରି ବଖାଣିଲେ । ଲକ୍ଷ୍ୟ ଥିଲା ହକି ବିଶ୍ୱକପ ଲାଗି ଯେମିତି କେଉଁଠି କିଛି ଲାଖୁନା ନରହୁ । କେହି ପଦେ ଅଙ୍ଗୁଳି ନଉଠାନ୍ତୁ । ସାରା ବିଶ୍ୱ ଜାଣୁ ଓଡିଶା କ’ଣ ଆଉ କ’ଣ କରିପାରେ । ଖାସ ଏଥିପାଇଁ ତ’ ହକି ବିଶ୍ୱକପ ଲାଗି ପୂରା ଅଣ୍ଟା ଭିଡିଥିଲେ ରାଜ୍ୟ ସରକାର । ହେଲେ ଅସଲ ବେଳକୁ ସବୁ ଫୁସ ।
‘ଘର ପାଖ ଲୋକ ବସ ଫେଲ’ ଭଳି ହକି ବିଶ୍ୱକପ ଦେଖିବାରୁ ବଂଚିତ ରହିଲେ ଭୁବନେଶ୍ୱରବାସୀ । ଯାହା ସରକାରଙ୍କ ପାରିବାପଣିଆକୁ ଏବେ ପଦାରେ ପକାଇଛି । ସିଧା କହିବାକୁ ଗଲେ ୧୬ଟି ଦେଶରେ ସିଧା ପ୍ରସାରଣର କରାଯାଇପାରିଲା କିନ୍ତୁ ଭୁବନେଶ୍ୱରରେ ଫସର ଫାଟିଲା । ରାଜ୍ୟ ସରକାରଙ୍କ ତରଫରୁ ବିଜୁ ଯୁବବାହିନୀ ମାଧ୍ୟମରେ ଏଲଇଡି ସ୍କ୍ରିନ/ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ଛକ ଓ ଜନଗହଳୀ ପୂର୍ଣ୍ଣ ସ୍ଥାନରେ ସିଧା ପ୍ରସାରଣ କରିବା ଲାଗି ବ୍ୟବସ୍ଥା ହୋଇଥିଲା ।
ଏନେଇ ଫ୍ଲେକ୍ସ ଓ ଲାଇଟ ଟେଣ୍ଡ ବାବଦକୁ ମୋଟ ଅଙ୍କର ତାଗଡ଼ା ନୋଟ ବି ଦିଆଯାଇଥିଲା । କଡ଼ା ତାଗିଦ ବି ଥିଲା ମାନ୍ୟବରଙ୍କ ଭାମୂର୍ତ୍ତୀରେ ଆଞ୍ଚ ଯେମିତି ନଆସେ । ଇଜତ ଗଲେ ବାବୁ ଛାଡିବା ଲୋକ ନୁହେଁ । ହେଲେ କ’ଣ ହେବ । ଠିକ ବେଳକୁ କେଉଁଠି ପ୍ରୋଜେକ୍ଟର ଚାଲିଲାନି ତ’ ଆଉ କେଉଁଠି ଧୋକ୍କା ଦେଲା ଏଲଇଡି । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଞ୍ଚୟାତ ସ୍ତର କଥା ଛାଡନ୍ତୁ ହକି ମହାକୁମ୍ଭ ପାଖରେ ହିଁ ଏ ସମସ୍ୟା ବେଶି ଜଟିଳ ଥିଲା ।
ପୁରୁଣା ଭୁବନେଶ୍ୱରରୁ ନେଇ ଚନ୍ଦ୍ରଶେଖରପୁର ଏରିଆ ପର୍ଯ୍ୟନ୍ତ ଯେଉଁ ଜାଗାକୁ ଗଲେ ସବୁଠି ବ୍ୟବସ୍ଥା ଫେଲ । ଅଢ଼େଇ ଘଣ୍ଟାର ଲାଇଭ ଅଢ଼େଇ ମିନିଟ ବି ଠିକରେ ଚାଲିପାରିନଥିବା ଅଭିଯୋଗ ହୋଇଛି । ଶେଷରେ ପରିସ୍ଥିତି ଏପରି ହେଲା ଯେ ଘଟଣାସ୍ଥଳରେ ଚେୟାର ସିନା ଫାଙ୍କା ପଡିଲା କିନ୍ତୁ ଲୋକଙ୍କ ହାତରେ ଥିବା ମୋବାଇଲ ହିଁ ଥିଲା ଏକମାତ୍ର ସାହା । ମୋବାଇଲରେ ଲୋକେ ହକି ଲାଇଭ ଦେଖି ଦେଖି ଲୋକ କହୁଥିଲେ ସରକାର ଏତେ ଟଙ୍କା ଖର୍ଚ୍ଚ କଲେ ସିନା ସବୁ ପାଣିଚିଆ ହୋଇଗଲା ।