ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଭିନ୍ନ ବିଭାଗରରେ ହେଉଥିବା ଦୁର୍ନିତିକୁ ନଜରରେ ରଖି ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମୋ ସରକାର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗକୁ ସାମିଲ କଲା ପରେ ସେହି ବିଭାଗରେ କିଭଳି ଠିକ ଭାବରେ କାର୍ଯ୍ୟ କରାଯିବ ସେନେଇ ସରକାର ବ୍ଲୁପ୍ରିଣ୍ଟି ପ୍ରସ୍ତୁତ କରିଛନ୍ତି । ତେବେ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୋ ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି । ଗତକାଲି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।
ଏହି ବିଭାଗରେ ଅଧିକ ପେସାଗତ ଦକ୍ଷତା ବୃଦ୍ଧି ଓ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଢୁଥିବା ନଗରୀକରଣ ଏବଂ ବଢୁଥିବା ଆଧୁନିକ ଜୀବନଚର୍ଯ୍ୟାର ଭିତ୍ତିଭୂମିକୁ ସୁଦୃଢ କରିବା ହୋଉଛି ସରକାରଙ୍କ ପ୍ରାଥମିକତା । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଆଧୁନିକ ସୁଖସୁବିଧା ଯୋଗାଇଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅଧୀନ ହେବାକୁ ଯାଉଛି । ସେହି କ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମୋ ସରକାର ଅଧୀନକୁ ଅଣାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।