ଜଗତସିଂହପୁର (ଏଟିଆର ବ୍ୟୁରୋ); ପୁଣି ଅଲୋଡା ହେଲା ଶିଶୁ । ମେଡିକାଲ ପାଇଖାନା ପ୍ୟାନରୁ ମିଳିଲା ନବଜାତ ଶିଶୁର ମୃତ ଦେହ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ ଘଟଣା । ଯାହକୁ ନେଇ ଏବେ ସାରା ସହରରେ ଚର୍ଚ୍ଚା । ତେବେ କିଏ ଏବଂ କାହିଁକି ଶୁଶୁ ପୁତ୍ରକୁ ଫୋପାଡି ଦେଇଛି ତାହା ଜଣା ପଡିନାହିଁ । ତଦନ୍ତ କରାଯିବା ପାଇଁ ସର୍ବସାଧାରଣ ଦାବି କରିଛନ୍ତି ।
ସୋମବାର ସକାଳେ ମୃତଶିଶୁକୁ ପାଇଖାନା ପ୍ୟାନରେ ଦେଖିବା ପରେ ପ୍ରଥମେ ତାଜୁବ ହୋଇଯାଇଥିଲେ ରୋଗୀ । ଏହାପରେ ସେମାନେ ମେଡିକାଲ କତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । କତ୍ତୃପକ୍ଷ ମୃତଶିଶୁର ମୃତଦେହକୁ ଉଦ୍ଧାର କରିଥିଲେ । ଉଦ୍ଧାର ହେଲା ବେଳକୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ପ୍ରସୂତି ବିଭାଗ ସାମନାରେ ଥିବା ପାଇଖାନାରୁ ଶିଶୁଟିର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏଣୁ ମେଡିକାଲ କତ୍ତୃପକ୍ଷଙ୍କ ଉପରେ ଉଠିଛି ପ୍ରଶ୍ନବାଚୀ ।
ସୂଚନାଯୋଗ୍ୟ,ଶିଶୁ କନ୍ୟା ଅଧିକାଂଶ ସମୟରେ ଅଲୋଡା ହୋଇଥାନ୍ତି । କିଏ ଝିଅ ହେବା ଫଳରେ ରାସ୍ତାରେ ଛାଡି ପଳାଉଛନ୍ତି ତ ଆଉ କିଏ ଅଳିଆ ଗଦାରେ ଫୋପାଡୁଥିବାର ନଜିର ରହିଛି । କିନ୍ତୁ ଶିଶୁପୁତ୍ରକୁ ଅଲୋଡା ଭାବରେ ଫୋପାଡି ଦିଆଯାଇଥିବାକୁ ନେଇ ଉଠିଛି ପ୍ରଶ୍ନବାଚୀ । କେହି ପାପ ସନ୍ତାନ ଭାବି ମାରି ଫୋପାଡି ଦେଇନି ତ? ଏଭଳି ଅନେକ କଥା ଲୋକ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।