ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଖୁବ ଶିଘ୍ର ଓଡିଶା ଫେରିବେ ଜଗା କାଳିଆ । ଦିଲ୍ଲୀ ଏମ୍ସରୁ ସେମାନଙ୍କୁ ଆଣି ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଯିବ । ଜଗା ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ହେଉଥିବା ବେଳେ କାଳିଆ ପାଟିରେ ଖାଦ୍ୟ ଗ୍ରହଣ କରୁଛି । ସ୍ୱତନ୍ତ୍ର ଟ୍ୟୁବ ଜରିଆରେ ମଧ୍ୟ ତାକୁ ଖାଦ୍ୟ ଦିଆଯାଉଛି । ଏବେ ସେମାନଙ୍କୁ ଆଇସିୟୁ କିମ୍ବା ସ୍ୱତନ୍ତ୍ର ଯତ୍ନ ନେବାର ଆବଶ୍ୟକ ନାହିଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଏଣୁ ଦୁଇ ଭାଇଙ୍କୁ ଜୁନ ମାସ ଶେଷ ସୁଦ୍ଧା ଓଡିଶା ସ୍ଥାନାନ୍ତର କରାଯିବ ।
ଏମ୍ସରେ ଜଗା କାଳିଆଙ୍କ ଚିକିତ୍ସା କରୁଥିବା ଜଣେ ନର୍ସ ଏବଂ ଡାକ୍ତର ମଧ୍ୟ ସାଙ୍ଗରେ ଆସିବେ ବୋଲି ଶୁଣିବାକୁ ମିଳିଛି । ଅତ୍ୟଧିକ ଖରା ଓଡିଶାରେ ଅନୁଭବ ହେଉଥିବାରୁ ଦୁଇ ଭାଇଙ୍କୁ ବିମାନରେ ଓଡିଶା ଅଣାଯିବ । ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତିି ।
ସୂଚନାଯୋଗ୍ୟ,କନ୍ଧମାଳ ଜିଲ୍ଳାର ମିଲୁପଡାର ଦୁଇ ଭାଇ ଜଗା ଏବଂ କାଳିଆଙ୍କ ଯୋଡାମୁଣ୍ଡ ଥିଲା । ଏହି ଖବର ଗଣମାଧ୍ୟମରେ ବାରମ୍ବାର ପ୍ରସାରଣ ହେବା ପରେ ରାଜ୍ୟ ସରକାର ସାହାର୍ଯ୍ୟର ହାତ ବଢ଼ାଇଥିଲେ । ସେମାନଙ୍କୁ ମୁଣ୍ଡ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇଥିଲା । ତେବେ ଉଭୟଙ୍କ ମୁଣ୍ଡ ଅଲଗା ହେବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ଦିଲ୍ଲୀ ଏମ୍ସରେ ରଖାଯାଇଛି । ଏବେ ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ଓଡିଶା ଫେରିବେ ଦୁଇ ଭାଇ ।