କଟକ (ଏଟିଆର ବ୍ୟୁରୋ) ; ଦୀର୍ଘ ୭୮ ଦିନ ଧରି ଚାଲିଥିବା ଆଇନଜୀବୀ ବିବାଦରେ ଆଜି ପୂର୍ଣ୍ଣଛେଦ ପଡିଛି । ଆନ୍ଦୋଳନରୁ ଓହରି ଆଜିଠାରୁ କାର୍ଯ୍ୟରେ ଯୋଗଦେବା ନେଇ ବାର ଆସୋସିଏସନ ପକ୍ଷରୁ ନିଷ୍ଫତ୍ତି ନିଆଯାଇଛି । ଗତକାଲି ୩ ଜଣ ପୋଲିସ କର୍ମଚାରୀ ହାଇକୋର୍ଟରେ କ୍ଷମା ମାଗିବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରି ପୁନର୍ବାର ସାରା ରାଜ୍ୟରେ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ବସିଥିବା ସାଧାରଣ ବୈଠକରେ ସଂଘ କହିଛି । ଏଣୁ ଆଜିଠାରୁ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ ।
ଗତ ଅଗଷ୍ଟ ୨୮ ତାରିଖରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ କଟକ ନୂଆ ବଜାରରେ ପୋଲିସ ମାଡ ମାରିବା ଅଭିଯୋଗରେ ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ମାଡ ମାରିଥିବା ପୋଲିସ ବାବୁ କ୍ଷମା ପ୍ରାର୍ଥନା କରିବା ପାଇଁ ସଂଘ ଅଡି ବସିଥିଲା । ତେବେ ଗତ କାଲି ସଂପୃକ୍ତ ଥିବା ପୋଲିସ ବାବୁ ମାନେ କ୍ଷମା ମାଗିବା ପରେ ଆନ୍ଦୋଳନରୁ ଓହରିଛନ୍ତି । ତେବେ ଦୀର୍ଘ ଦିନର କାର୍ଯ୍ୟ ବନ୍ଦ ଭିତରେ ଜେଲରେ ବହୁ କଏଦୀ ସଢ଼ୁଛନ୍ତି । କାରଣ ଛୋଟ ଛୋଟ କେସରେ ଫସିଥିବା କଏଦୀମାନଙ୍କ ସଂଖ୍ୟା ଜେଲରେ ଫାଟିପଡୁଥିଲା । ତେବେ ଏବେ କାର୍ଯ୍ୟରେ ଯୋଗ ଦେବା ପରେ ବେଲ ପାଇବା ପାଇଁ ଅନେଇ ବସିଥିବା କଏଦୀମାନଙ୍କ ପାଇଁ ବାଟ ଖୋଲିଗଲା ।