ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଳାହାଣ୍ଡି ଜିଲ୍ଳା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଦୁର୍ନୀତି ମାମଲାର ଆର୍ଥିକ କାରବାରର ତଦନ୍ତ କରିବ । କାଗଜପତ୍ର ଜାଲିଆତି କରି ଆଡମିଶନ ଓ କସନ ମନି ବାବଦରେ କେତେ ଟଙ୍କା ଆଦାୟ ହୋଇଛି ଓ କେଉଁ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇଛି, ଇଡିର ତାର ଖୋଲତାଡ଼ କରିବ । ଖୁବଶୀଘ୍ର ଇଡି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାଠାରୁ କାଗଜପତ୍ର ସଂଗ୍ରହ କରି ତଦନ୍ତକୁ ତ୍ୱରାନ୍ୱିତ କରିବ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ସେଲଭମ ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ତାମିଲନାଡୁରେ ଏକାଧିକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରହିଛି । ଉକ୍ତ ଟ୍ରଷ୍ଟ କଳାହାଣ୍ଡି ଜିଲ୍ଳାରେ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଖୋଲିବାକୁ ଯୋଜନା କରିଥିଲେ । ୨୦୦୪ରେ ଏନେଇ ପଶ୍ଚିମ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ଟ୍ରଷ୍ଟର ଟ୍ରଷ୍ଟି ଏ. ଜନସେଲ୍ ରାଜା ଏକ ଚୁକ୍ତି କରିଥିଲେ । କଲେଜ ପାଇଁ ସରକାର ୧୦ କୋଟି ଟଙ୍କା ଓ ୨୫ ଏକର ଜମି ଯୋଗାଇ ଦେଇଥିଲେ । ୨୦୧୩-୧୪ ଓ ୨୦୧୪-୧୫ ବର୍ଷ ଲାଗି ୧୨୪ ପିଲାଙ୍କ ଏମବିବିଏସରେ ଆଡ୍ମିଶନ ଲାଗି ଭାରତୀୟ ଭେଷଜ ପରିଷଦ(ଏମ୍ସିଆଇ) ଅନୁମତି ଦେଇଥିଲା ।
ହେଲେ ମେଡିକାଲ କଲେଜ ପାଇଁ ଯାହା ଭିତ୍ତିଭୂମି ଦରକାର ତାହା ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜରେ ନଥିଲା । ମାତ୍ର କଲେଜ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ଭିତ୍ତିଭୂମି ଥିବା କାଗଜପତ୍ରରେ ଦର୍ଶାଇଥିଲେ । କାଗଜପତ୍ରର ଅନୁଧ୍ୟାନ ପରେ ଏମସିଆଇ ଭିତ୍ତିଭୂମି ଠିକ ନଥିବା ଜାଣିପାରିଥିଲା । ଫଳରେ ତୃତୀୟବର୍ଷ ଆଡ୍ମିଶନ ପାଇଁ ଅନୁମତି ଦେଇ ନଥିଲା । ଏହା ସତ୍ତେ୍ୱ ମଧ୍ୟ ଜନ୍ସେଲ୍ ପିଲାଙ୍କଠାରୁ କ୍ୟାପିଟେସନ୍ ଫି ଓ କସନ୍ ମନି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ । ପରେ ସେ କଲେଜ ବନ୍ଦ କରିଦେଇଥିଲେ ।
କଲେଜ ବନ୍ଦ ହେବା ପରେ ୧୨୪ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବାରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ । ପରେ ସେମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ମେଡିକାଲ କଲେଜରେ ଆଡ୍ମିଶନ କରାଇଥିଲେ । ଏନେଇ ରାଜ୍ୟ ସରକାର ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦଫା ୪୦୬/୪୦୯/୪୨୦/୪୬୭/୪୬୮/୪୭୧/୧୨୦ (ବି)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗିରଫଦାରୀ ଭୟରେ ଜନସେଲ ଫେରାର ହୋଇଯାଇଥିଲେ । ୨୦୧୮ ଅଗଷ୍ଟ ୩ ତାରିଖରେ ପୁଲିସ ତାଙ୍କୁ ତାମିଲନାଡୁରୁ ଗିରଫ କରିଥିଲା ।