ଭୁବନେଶ୍ୱର,(ଏଟିଆରବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ୍ ଛକରେ ବସ ଧକ୍କାରେ ଆଜି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ହସପିଟାଲ ପଠାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା କାମଧେନୁ ବସକୁ ପୁଲିସ ଜବତ କରିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ମାଷ୍ଟରକ୍ୟାଣ୍ଟିନ୍ ଗୋଲେଇ ଛକ ନିକଟରେ ବାଇକ୍ ଚାଳକକୁ ବସଟି ପଛପଟୁ ଧକ୍କା ଦେଇଥିଲା । କେବଳ ଏତିକି ନୁହେଁ ବାଇକ ଉପରେ ବସଟି ଚଢ଼ିଯାଇଥିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ବେଶ୍ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା । ପରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ବେପାରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସେପଟେ ପ୍ରତ୍ୟେକଦିନ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଛୋଟମୋଟ ଦୁର୍ଘଟଣା ଘଟୁଥିବା ବେଳେ ସେଠାରେ ଟ୍ରାଫିକ୍ ପୁଲିସ ମୁତୟନ କରିବାକୁ ଦାବି ହୋଇଛି ।