ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଢ଼େର ଦିନର ଚୁପ ପରେ ଶେଷରେ କାର୍ଯ୍ୟାନୁଷ୍ଠାନ ନେଲେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ୬ଟି ଖଣି ଲିଜକୁ ବାତିଲ ପାଇଁ ଶେଷରେ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଖଣି ନିୟମ ଉଲ୍ଲଂଘନ ଓ ଅନାଦେୟ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏହା ସହିତ ଜୋରିମାନା ଦେଇନଥିବା ୨୫ଟି ଖଣିକୁ ଆସନ୍ତା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଜୋରିମାନା ପ୍ରଦାନ ପାଇଁ ସମୟ ଦିଆଯାଇଛି । ଯଦି ଦିଆଯାଇଥିବା ସମୟ ସୀମା ମଧ୍ୟରେ ଜୋରିମାନା ପୈଠ କରା ନ ଯାଏ, ତେବେ ଏହି ସବୁ ଖଣିକୁ ମଧ୍ୟ ବାତିଲ କରିଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ୨୫ଟି ଖଣି ରିଜିଓନାଲ ମାଇନିଂ ଅଥରିଟିଠାରୁ ଷ୍ଟେ ଅର୍ଡର ଆଣିଥିବା ବେଳେ ଅନ୍ୟ ୬ଟି ଆଣି ନଥିଲେ । ସେଥିପାଇଁ ଏହି ୬ଟି ଖଣି ଲିଜକୁ ବାତିଲ କରାଯାଇଥିବା ବେଳେ ଅନ୍ୟଗୁଡିକୁ ସମୟ ସୀମା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ୨୦୧୭ ଡିସେମ୍ବର ୩୧ ଭିତରେ ସର୍ବୋଚ୍ଚ ଅଦାଲତ ଜୋରିମାନା ଆଦାୟ କରିବାକୁ ନୋଟିସ ଦେଇଥିଲେ । କିନ୍ତୁ ଅବଧୀ ଶେଷ ପର୍ଯ୍ୟନ୍ତ ବେଆଇନ୍ ଖଣି ଉତ୍ତୋଳନ କରିଥିବା ମାଲିକମାନେ ଏହାକୁ ଖାତିର କରିନଥିଲେ । ଫଳରେ ଏହା ବାତିଲ ହେବାର ପରିସ୍ଥିତି ଆସିଯାଇଛି ।