କଟକ (ଏଟିଆର ବ୍ୟୁରୋ) ; ମୋମୋ ନେଲା ଆଉ ଏକ ଜୀବନ । ମୋମୋ ଗେମ ଖେଳି ପ୍ରାଣ ହରାଇଲେ ଆଉ ଜଣେ ଓଡିଆ ଯୁବକ । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗ୍ରାମରେ ଘଟିଛି । ଗ୍ରାମର ଜଣେ ଯୁବକ ମୋମୋ ପଞ୍ଝାରେ ପଡି ପ୍ରାଣ ହରାଇଥିବା କୁହାଯାଉଛି । ଉମର ଗ୍ରାମର ଉମାକାନ୍ତ ବେହେରା ନାମକ ଜଣେ ଯୁବକ ନିଜ ମୋବାଇଲରେ ମୋମୋ ଗେମ ଡାଉନଲୋଡ କରିଥିଲେ । ତେବେ ସେ ଏହି ଗେମ ଖେଳି ପ୍ରାଣ ହରାଇଥିବାର ଅନୁମାନ କରାଯାଉଛି ।
ଆଜି ସକାଳେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଗ୍ରାମର ଏକ ନିର୍ମାଣାଧୀନ କ୍ଲବ ଘରୁ ଜବତ କରାଯାଇଥିଲା । ସେ ଗତ ୨ ମାସ ତଳେ ଚେନ୍ନାଇରୁ ନିଜଘରକୁ ଫେରିଥିଲେ । ତାଙ୍କ ମୋବାଇଲରେ ମୋମୋ ଗେମ ଥିବାରୁ ଉମାକାନ୍ତ ଏହି ଗେମ ଖେଳୁଥିବ ବୋଲି ପରିବାର ଲୋକେ ଆଶଙ୍କା କରିଛନ୍ତି । ସେପଟେ ଏନେଇ ମାହାଙ୍ଗା ଥାନାରେ ଏକ ମାମଲା ଦାଏର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ତେବେ ମୋମୋ ଭଳି ଭୟଙ୍କର ପ୍ରାଣଘାତୀ ଖେଳ କବଳରେ ଯୁବକ ମନେ ଆସୁଥିବା ବେଳେ ଏହା ଠାରୁ ଦୁରେଇ ରହିବାକୁ ସଚେତନତା ଜରୁରୀ । ନିକଟରେ ରାଉରକେଲାର ଜଣେ ଛାତ୍ର ମୋମୋ ଗେମ ଖେଳି ଚେନ୍ନାଇକୁ ଯାଇ ସେଠାରେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ମୋମୋ ଭଳି ମାରାତ୍ମକ ଗେମ ଠାରୁ ଦୁରେଇ ରହିବା ପାଇଁ ପୋଲିସ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛି ।