ବାରିପଦା(ଏଟିଆର ବ୍ୟୁରୋ): ଅଭିନବ ଉପାୟରେ ବିରୋଧ ପ୍ରର୍ଦଶନ କରିଛନ୍ତି ବାରିପଦା ମ୍ୟୁନିସିପାଲଟିର ସଫେଇ କର୍ମଚାରୀ ମାନେ । ଦୁଇ ମାସ ହେଲା ଦରମା ନପାଇବାରୁ ଆଜି ସକାଳେ ସଫେଇ କର୍ମଚାରୀ ମାନେ ଜିଲ୍ଲାପାଳ ଅଫିସ, ମ୍ୟୁନିସିପାଲିଟି ଅଫିସ ଓ ଏଡିଏମ ଅଫିସ ସମ୍ମୁଖରେ ଅଳିଆ ଢାଳି ସେମାନଙ୍କର ଦାବି ଜଣାଇଛନ୍ତି । ସେମାନଙ୍କ ଦାବି ତୁରନ୍ତ ପୂରଣ ନ ହେଲେ ଆଗକୁ ସଫେଇ କାର୍ଯ୍ୟକୁ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଥିଲେ । ସଫେଇ କର୍ମଚାରୀ ଟିଏ ସକାଳ ହେବା ମାତ୍ର ଅଳିଆ ଅର୍ବଜନାରେ ଘାଣ୍ଟି ହୋଇ ପରିବେଶକୁ ସଫା ସୁତୁରା କରିବାରେ ଲାଗିପଡନ୍ତି । ଦୈନିକ ମଜୁରୀ ଦରରେ ସେମାନେ ପ୍ରାପ୍ୟ ପାଆନ୍ତି ।
ତେବେ ବିଗତ ଦୁଇ ମାସ ହେବ ଦରମା ନପାଇବାରୁ ସେମାନେ ଅତିଷ୍ଠ ହୋଇ ଆଜି ଏକ ଅଭିନବ ଉପାୟରେ ବିରୋଧ ପ୍ରର୍ଦଶନ କରିଛନ୍ତି । ସୂଚନା ଅନୁସାରେ ସଫେଇ କର୍ମଚାରୀଙ୍କୁ ଏକ ସଂସ୍ଥା ଠିକାରେ ନିୟୋଜନ କରିଛି । କିନ୍ତୁ ଦୁଇ ମାସ ହେଲା ସେମାନଙ୍କୁ ଦରମା ଦେଇନାହିଁ । ଏଥି ପାଇଁ ଗତକାଲି ଠାରୁ ସେମାନେ ପ୍ରତିବାଦ ପ୍ରର୍ଦଶନ କରୁଛନ୍ତି । ପ୍ରତିବାଦର ଖବର ପାଇ ଘଟଣା ସ୍ଥଳରେ ଏସଡିପିଓ, ଆଇଆଇସି, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପହଞ୍ଚି ସଫେଇ କର୍ମଚାରୀ ମାନଙ୍କୁ ବୁଝାଶୁଝା କରିବା ସହ ସେମାନଙ୍କୁ ଦରମା ଦେବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀ ମାନଙ୍କ ଠାରୁ ପ୍ରତିଶୃତି ପାଇବା ପରେ ବିକ୍ଷୋଭକାରୀ ମାନେ ଆନ୍ଦେ।ଳନକୁ ପ୍ରତ୍ୟାହାର କରିଛନ୍ତି ।