ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଡିସେମ୍ବର ପହିଲାରୁ କଡାକଡି ଭାବେ ଲାଗୁ ହେବାକୁ ଥିବା ଟ୍ରାଫିକ ନିୟମକୁ ପୁଣି ରାଜ୍ୟ ସରକାର ୩ ମାସ ପାଇଁ କୋହଳ କରିଛନ୍ତି । ଯାହା ଫଳରେ କାମ ସାରି ନଥିବା ଲୋକ ଟିକେ ଆଶ୍ୱସ୍ତ ହୋଇଛନ୍ତି । ତେବେ ଗତକାଲିର ଘୋଷଣାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଗଲାଣି । ଶୁଣିବାକୁ ମିଳୁଛି ସାଧାରଣ ଲୋକଙ୍କ ସୁବିଧା ନୁହେଁ ବରଂ ଆଗକୁ ଆସୁଥିବା ମୁନିସପାଲଟି ଇଲେକ୍ସନକୁ ନଜରେ ରଖି ସରକାର ଏହି କୋହଳ ଅବଧିକୁ ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି । ଏପଟେ ଲୋକଙ୍କ ଅସନ୍ତୋଷକୁ ମୁଦ୍ଧା କରି ବିଲେଇ କପାଳକୁ ଶିଖା ଛିଣ୍ଡିବା ପରି କଥା ଲାଗୁଛି । ଏକଥା ଆମେ କହୁନୁ ବରଂ ଏବେ ଏମିତି କିଛି କଥାକୁ ନେଇ ଖଟିରେ ଚର୍ଚ୍ଚା ଜୋର ଧରିଛି ।
କାରଣ ଗତ କିଛି ଦିନ ପୁର୍ବେ ଏହି ନିୟମ ଡିସେମ୍ବର ପହିଲାରୁ କଡାକଡି ପାଳନ ହେବ ବୋଲି ସରକାରୀ ସୁତ୍ରରୁ ଖବର ପ୍ରକାଶ ପାଇଥିଲା । ଏହାକୁ ଆଉ କୋହଳ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ମଧ୍ୟ କୁହାଯାଇଥିଲା । ହାତରେ ଆଉ ମାତ୍ର ୨ ଦିନ ଥିଲା ବେଳେ କାହିଁକି ଏହାକୁ କୋହଳ କରାଗଲା ? ବିଧାନସଭାରେ ଶାସକ ଦଳର ବିଧାୟକ କାହିଁକି ଏହି ପ୍ରସଙ୍ଗ ଉଠାଇଲେ ? ଏମିତି କେତେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ସେପଟେ ତିନିମାସ କୋହଳ କରି ଜନ ସାଧାରଣଙ୍କ ସୁବିଧା ପାଇଁ ଭିତ୍ତି ଭୂମି ଠିକ କରାଗଲା ନାହିଁ । ଯାହାର ପ୍ରତିଛବି ଏବେ ପ୍ରତିଦିନ ଆରଟିଓ ଅଫିସରେ ଦେଖିବାକୁ ମିଳୁଛି ।