ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଇଏଏସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ବୈଠକରେ ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀ , ଅଫିସରଙ୍କୁ ଶପଥ ପାଠ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଅଫିସରଙ୍କୁ ମାର୍ଗଦର୍ଶନ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସମସ୍ତ ଅଫିସରଙ୍କୁ କହିଛନ୍ତି , “ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର ଅଛି । ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ ବର୍ଷ ହେଲା ସେମାନଙ୍କ ସେବା କରୁଛି । ତେଣୁ ସେମାନଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର ପ୍ରମୁଖ କର୍ତ୍ତବ୍ୟ।” ସେ ଆହୁରୀ ମଧ୍ୟ କହିଛନ୍ତି, ଲୋକମାନେ ଆମର ପ୍ରଭୁ । ସେମାନେ ହିଁ ଶାସନର କେନ୍ଦ୍ର ବିନ୍ଦୁ । ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର କର୍ତ୍ତବ୍ୟ ଅଟେ । ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଲୋକମାନେ ଗଣତନ୍ତ୍ରର ମୂଳାଧାରା ହୋଇଥିବାରୁ ସରକାରୀ କାର୍ଯ୍ୟଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଦେବା । ଏହି ବୈଠକ ଦୁଇଦିନ ଧରି ଚାଲିବାକୁ ଥିବା ବେଳେ ବିଭାଗର ସଚିବମାନେ ଉପସ୍ଥିତ ରହିବେ । ଏହି ବୈଠକଟି ନୂତନ ଆଡିଟୋରିଅମରେ ଅନୁଷ୍ଠିତ ହୋଇଛି ।