ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସାହାଯ୍ୟ ସୁବିଧା ଯୋଗାଇ ଦେଉଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକ, ବୃଦ୍ଧା, ବିଧବା ଓ ଅସାହୟ ଲୋକ ମାନଙ୍କ ପାଇଁ ୨୨୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଭିଓ ଜରିଆରେ ପ୍ରତି ପଞ୍ଚାୟତର ୧୦୦ ରୁ ୨୦୦ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହି ରନ୍ଧା ଖାଦ୍ୟ ଏସଏଚଜି ଗ୍ରୁପ ମାଧ୍ୟମରେ ଗରିବ ଲୋକ ମାନଙ୍କୁ ଯୋଗାଇ ଦିଆଯିବ । ଲୋକ ମାନେ ଏହି ଖାଦ୍ୟ ଘରକୁ ନେଇ ପାରିବେ । ଏହା ସହ ଆମ ରାଜ୍ୟରେ ଥିବା ୧୧୪ଟି ସହରାଞ୍ଚଳର ଉଠା ଦୋକାନି ମାନଙ୍କ ପାଇଁ ୩୦୦୦ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ରାଜ୍ୟରେ ପଞ୍ଜିକୃତ ହୋଇଥିବା ୬୫ ହଜାର ଉଠା ଦୋକିନ ଉପକୃତ ହେବେ ବୋଲି ନବୀନ କହିଛନ୍ତି ।
ସୂଚନା ଯୋଗ୍ୟ ସାରା ବିଶ୍ୱରେ କରୋନା ଭାଇରସ ପାଇଁ ହାହାକାର ପଡିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସରରେ ପ୍ରାୟ୨୪ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହି ଭାଇରସ ୧୯୮ ଟି ଦେଶକୁ ବ୍ୟାପି ସାରିଲାଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୮୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୨୦ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାରା ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତକୁ ଲକ୍ ଡାଉନ୍ କରିଦିଆଯାଇଛି ।