ପୁରୀ (ଏଟିଆର ବ୍ୟୁରୋ): ନବବର୍ଷ ନିମନ୍ତେ ରାତି ଗୋଟାଏରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ନବବର୍ଷ ଉପଲକ୍ଷେ ଦିନ ତମାମ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ନବବର୍ଷ ପାଇଁ ଆଜି ରାତି ଗୋଟାଏରୁ ମନ୍ଦିର ଖୋଲା ଯାଇ ସ୍ୱତନ୍ତ୍ର ନୀତିରୀତି ଅନୁଷ୍ଠିତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ପ୍ରଦାନ କରିଛନ୍ତି । ନୂଆବର୍ଷର ଆରମ୍ଭରେ ଭକ୍ତ ମାନେ ମହାପ୍ରଭୁଙ୍କର ଆର୍ଶୀବାଦ ନେଇ ବର୍ଷ ଆରମ୍ଭ କରିବା ପାଇଁ ପୁରୀକୁ ଆସିଥାନ୍ତି । ସେଥିପାଇଁ ଆଜି ସାଢେ ୧୦ଟାରୁ ମନ୍ଦିର ସମସ୍ତ ନୀତିକାନ୍ତି ଶେଷ ହେବା ସହ ପହୁଡ ନୀତି ସମ୍ପର୍ଣ୍ଣ କରାଯିବ । ପୁରଃବାର ରାତି ୧ଟାଏରୁ ମନ୍ଦିର ଭକ୍ତମାନଙ୍କର ଦର୍ଶନ ନିମନ୍ତେ ଖୋଲାଯିବ ।
ପୁରୀକୁ ଅଧିକ ସଂଖ୍ୟକ ଭକ୍ତ ଆସିବାର ସମ୍ଭାବନା ଥିବା କାରଣରୁ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଚତୁପାଶ୍ୱର୍ ୭୫ମିଟର ଉଚ୍ଛେଦ କରାଯିବା ପରେ ଶ୍ରୀମନ୍ଦିର ସମ୍ମୁଖକୁ ସଜା ହୋଇଛି । ଶ୍ରୀମନ୍ଦିରର ଚତୁପାର୍ଶରେ ବିଭିନ୍ନ ଗଛ ଲଗାଯାଇଥିବା ବେଳେ ରାତିରେ ଶ୍ରୀମନ୍ଦିରକୁ ଆକୃଷ୍ଟ କରିବା ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାସଜ୍ଜା ହୋଇଛି । ସେହିଭଳି ଶ୍ରୀମନ୍ଦିର ସମ୍ମୁଖରେ ଭଳି କି ଭଳି ଝୋଟି ଅଙ୍କା ଯାଇଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଭକ୍ତମାନେ କିପରି ସୁରକ୍ଷିତ ଦର୍ଶନ କରିପାରିବେ ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡର ବ୍ୟବସ୍ଥା ମଧ୍ୟ କରାଯାଇଛି ।