ନୀଳଗିରି (ଏଟିଆର ବ୍ୟୁରୋ): ମୋହରିରଙ୍କ ଚାଳିଆ ଘଟରଶକୁ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ହୋଇଥିବା କଥା କଟାକଟିକୁ ନେଇ ଗତକାଲି ନୀଳଗିରି ବିଧାୟକ ଆମରଣ ଅନଶନରେ ବସିଥିଲେ । ତେବେ ଏହି ମାମଲାରେ ଜିଲ୍ଲାପାଳଙ୍କ ଅସ୍ତକ୍ଷେପ ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଅନଶନରୁ ଓହରିଛନ୍ତି ।
ସୂଚନା ଅନୁସାରେ ଗତକାଲି ପାଖାପାଖି ରାତି ସାଢେ ୧୧ ଟାରେ ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ। ପରେ ବିଧାୟକ ଜୁସ୍ ପିଇ ଅନଶନ ଭାଙ୍ଗିବା ପରେ ଭଙ୍ଗାଯାଇଥିବା ମହରିରଙ୍କ ଚାଳିଆକୁ ବୁଲି ଦେଖିଥିଲେ। ମୋହରିରଙ୍କ ଭଙ୍ଗାଯାଇଥିବା ଚାଳିଆ ଘରକୁ ପୁଣି ନିର୍ମାଣ କରିବା ପାଇଁ ଦାବି କରିଥିଲେ ।
ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ତହସିଲ କାର୍ୟ୍ୟାଳୟ ପରିସରରେ ମୋହରିର ଚାଳିଆ ଉଚ୍ଛେଦ କାର୍ଯ୍ୟକୁ ନେଇ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମୋହରିର ଚାଳିଆ ଭାଙ୍ଗିବାକୁ ବିଧାୟକ ବିରୋଧ କରିଥିଲେ । ଏହାପରେ ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ବିଧାୟକ ଉପ-ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଅନଶନରେ ବସିଥିଲେ।
ତେବେ ଏହି ଘଟଣାକୁ ନେଇ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଏହି ବୈଠକରେ ନୀଳଗିରି ଉପଜିଲ୍ଲାପାଳ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ । ଅନ୍ୟପଟେ ଏହି ମାମଲାକୁ ନେଇ ୪ ଟି ପୃଥକ ପୃଥକ ମାମଲା ଥାନାରେ ରୁଜୁ ହୋଇଥିଲା । ତହସିଲଦାର ବିଧାୟକଙ୍କୁ ର୍ଦୁବ୍ୟବହାର କରିଥିବା ବିଧାୟକ ଅଭିଯୋଗ କରିଥିବା ବେଳେ ତହସିଲଦାରଙ୍କୁ ବିଧାୟକ ଅଙ୍ଗୁଳି ଉଠାଇଥିବା ତହସିଲଦାର ଅଭିଯୋଗ କରିଥିଲେ ।