ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ରାଜ୍ୟ ସରକାର ତତ୍ପର ହେବା ସହ ବିଭିନ୍ନ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଏହି ଭାଇରସକୁ ରୋକିବାକୁ ହେଲେ ସାମାଜିକ ଦୂରତ୍ୱ ନିହାତି ଆବଶ୍ୟକ ବୋଲି ବାରମ୍ବାର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଛି । ଇତି ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ସାମୂହିକ ଭିଡକୁ ହ୍ରାସ କରିବା ଲାଗି ଗାଡି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏବେ ଭୁବନେଶ୍ୱରରେ ଯୁଗ୍ମ ଏବଂ ଅଯୁଗ୍ମ ପ୍ରକ୍ରିୟା ଅନୁଯାୟୀ ଗାଡି ଚଳାଚଳ ହେବ ।
ସମସ୍ତ ବସ୍, ଅଟୋରିକ୍ସା, ଟ୍ୟାକ୍ସି ଆଦି ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ବିଏମସି ଏହି କଟକଣା ଜାରି କରିଛି । ପୂର୍ବରୁ ଦିଲ୍ଲୀରେ ଏହି ଯୁଗ୍ମ ଏବଂ ଅଯୁଗ୍ମ ପ୍ରକ୍ରିୟା ଅନୁଯାୟୀ ଗାଡି ଚଳାଚଳ ହେଉଥିଲା । ମାତ୍ର ଏବେ କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଯୁଗ୍ମ ତାରିଖ ଦିନ ଯୁଗ୍ମ ସଂଖ୍ୟକ ଗାଡି ଚଳାଚଳ ହେବ । ସେହିପରି ଅଯୁଗ୍ମ ତାରିଖ ଦିନ ଅଯୁଗ୍ମ ସଂଖ୍ୟକ ଗାଡି ଚଳାଚଳ ହେବ । ମାତ୍ର ଜରୁରୀ ସେବା, ହସ୍ପିଟାଲ ଏବଂ ଘରୋଇ ଗାଡି ଉପରେ କୌଣସି କଟକଣା ନାହିଁ ।