ସୋର (ଏଟିଆର ବ୍ୟୁରୋ); ପରିବାର ଲୋକଙ୍କ ଉପରେ ରାଗ ରଖି ୪ ବର୍ଷର ଶିଶୁକୁ ପାଣି ଖାତକୁ ଫୋପାଡିଲେ ବୃଦ୍ଧ । ତେବେ ଭଗବାନଙ୍କ ଦୟାରୁ ଶିଶୁକୁ ଉଦ୍ଧାର କରାଯାଇଛି ଏବଂ ଏବେ ସେ ସୁସ୍ଥ ଥିବା ଜଣା ପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ମହୁ ମୁହାଣ ଗୁଳିଖାଡ ଗାଁରେ । ପୋଲିସରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ବୃଦ୍ଧଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ପୋଲିସ ରିପୋର୍ଟ ମୁତାବକ ମହୁ ମୁହାଣ ଗାଁର ତପନ କଟୁଆଳ ଏବଂ ମାଗୁଣି ନାୟକଙ୍କ ପରିବାର ମଧ୍ୟରେ କଳହ ଲାଗି ରହିଥିଲା । ସବୁବେଳେ ଗାଁରେ ଦୁହିଁଙ୍କ ମଧ୍ୟରେ ଝଗଡା ହେଉଥିଲା । ଏଣୁ ଉଭୟ ଉଭୟଙ୍କୁ ଶତ୍ରୁ ଭଳି ମନେ କରୁଥିଲେ । ତେବେ ବୁଧବାର ରାଗ ପରାୟଣ ହୋଇ ଦିନ ୧୧ଟା ସମୟରେ ମାଗୁଣି ତପନଙ୍କ ଚାରି ବର୍ଷର ପୁଅ ଲାଲ ମୋହନକୁ ଗାଁରେ ଥିବା ୨୦ ଫୁଟର ଖାତକୁ ଫୋପାଡି ଦେଇଥିଲେ । ଭଗବାନଙ୍କ କୃପାରୁ ଏହାକୁ ଗାଁର ଅନ୍ୟ ଚାରିଜଣ ନାବାଳକ ଦେଖି ଦେଇଥିଲେ ।
ବୃଦ୍ଧ ଫୋପାଡି ଦେଇ ପଳେଇ ଆସିବା ପରେ ନାବାଳକମାନେ ପାଣିରେ ପଶି ଲାଲ ମୋହନକୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ହେଲା ବେଳକୁ ଲାଲ ମୋହନ ଅଚେତ ହୋଇ ପଡିଥିଲେ । ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏବଂ ପରେ ଅବସ୍ଥାରେ ସଙ୍କଟ ହେବାରୁ ତାଙ୍କୁ ସୋର ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ଏବେ ଲାଲ ମୋହନଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଜଣା ପଡିଛି । ତପନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ପୋଲିସ ବୃଦ୍ଧ ମାଗୁଣୀକୁ ଅଟକ ରଖି ପଚରା ଉଚରା କରୁଛି ।
ସେପଟେ ଗାଁରେ ଏହି ଘଟଣା ପ୍ରଚାର ହେବା ପରେ ମାଗୁଣୀଙ୍କୁ ଛି ଛି କରିଛନ୍ତି ଗାଁ ଲୋକ । ଘୋର ନିନ୍ଦା ମଧ୍ୟ କରିଛନ୍ତି । କାରଣ ପରିବାର ଲୋକଙ୍କ ଉପରେ ରାଗ ରଖି ଛୋଟ ଛୁଆ ଉପରେ ରାଗ ଶୁଝାଇବା ଏକ ନିନ୍ଦନୀୟ ଘଟଣା । ବୃଦ୍ଧ ହୋଇ ମଧ୍ୟ ଏପରି କାମ କରିଥିବାରୁ ଗାଁ ଲୋକ କହୁଛନ୍ତି ମରଣ କାଳେ ବିପରୀତ ବୁଦ୍ଧି । ଛୋଟ ଛୁଆ ଉପରେ ନିର୍ଦ୍ଦୟ ହୋଇଥିବାରୁ ବୟସର ଶେଷ ସମୟରେ ମଧ୍ୟ ସେ ବହୁତ ଅସୁବିଧାର ସମୁଖୀନ ହେବେ ଏଭଳି ଅଭିଶାପ ଦେଇଛନ୍ତି ଗାଁ ଲୋକ ।