ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ମିଛ ମୃତ ଖବର ସୋସିଆଲ ମିଡିଆରେ ଅପପ୍ରଚାର କରିଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଳିଙ୍ଗ ସିନେ ଆର୍ଟସ ଫାଉଣ୍ଡେସନ୍ ପକ୍ଷରୁ କମିଶନ ପୋଲିସ ଅଧିନ ଇନଫୋସିଟି ଥାନାରେ ମାମଲା ରୁଜୁ କରାଯାଇଛି । ଏହାସହିତ ବିଜୟଙ୍କ ପରଲୋକକୁ ନେଇ ଭୁଲ ମନ୍ତବ୍ୟ ପୋଷ୍ଟ କରିଥିବା ଅଣପଞ୍ଜିକୃତ ସମ୍ବାଦିକ ସଂସ୍ଥା ଗୁଡିକ ପ୍ରତି ଶୃଙ୍ଖଳାଭଙ୍ଗ କାର୍ଯ୍ୟାନୁଷ୍ଠାନ କିମ୍ବା ଦଣ୍ଡବିଧାନ ପାଇଁ ଦାବି କରାଯାଇଛି । ଯାହାଫଳରେ ଆଗକୁ କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ଏଭଳି ଭୁଲ ତଥ୍ୟ ପୋଷ୍ଟ କରିବାକୁ ଭୟ କରିବେ ।
ଓଡିଆ ଚଳଚ୍ଚିତ୍ର ଜଗତର ପିତାମହ ତଥା ବରିଷ୍ଠ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି । କିନ୍ତୁ କିଛି ଲୋକ ଗତକାଲି ବିଜୟ ମାହାନ୍ତିଙ୍କ ମିଛ ମୃତ ଖବର ସୋସିଆଲ ମିଡିଆ ପୋଷ୍ଟ କରିଥିଲେ । ଯାହା ଖୁବ୍ ଭାଇରାଲ ହୋଇଥିଲା । ଏହି ଖବର ଭାଇରାଲ ହେବା ପରେ କୋଟି କୋଟି ପ୍ରଶଂସକ ମର୍ମାହତ ହୋଇଥିଲେ । ଏହାପରେ ଓଡିଆ ଚଳିଚ୍ଚିତ୍ରର ଅନେକ ଅଭିନେତା ଓ ଅଭିନେତ୍ରୀ ଏହି ମିଛ ଖବରକୁ ଖଣ୍ଡନ କରିବା ସହ ଏଭଳି ଗୁଜବ ନକରିବା ପାଇଁ ଅନୁରୋଧ କରିଥିଲେ ।
କିଛିଦିନ ତଳେ ବିଜୟ ମହାନ୍ତି ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଏହାପରେ ତାଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରକୁ ଅଣାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ସୁଧୁରୁଛି । ସେ ଏବେ ସୁସ୍ଥ ଅଛନ୍ତି ।