ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପାଟଣାଗଡ ପାର୍ସଲ ବୋମା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ଢ଼େର ଦିନ ଧରି ଏହି ମାମଲା ଘାଣ୍ଟି ହେବା ପରେ ଶେଷରେ ଧରା ପଡିଥିଲା ଏହାର ରହସ୍ୟ । ଏହାକୁ ନେଇ ଓଲିଉଡରେ ଏକ ଫିଲ୍ମ ନିର୍ମାଣ କରାଯାଉଛି । ଯାହାର ଟାଇଟଲ ରହିଛି ‘ବୁଲେଟ ରାଜା’ । ଗୋଟେ ଫିଲ୍ମ ପ୍ରଯୋଜକଙ୍କୁ ଏକ ଫିଲ୍ମ ନିର୍ମାଣ କରିବା ପାଇଁ ଆବଶ୍ୟକ ହୋଇଥାଏ ଲଭ,ରୋମାନ୍ସ ,ସସପେନ୍ସ ଏବଂ ଥ୍ରୀଲର । ଯଦି ଫିଲ୍ମଟିରେ ଏହି ସବୁ ଜିନିଷ ଦେଖିବାକୁ ମିଳେ ତେବେ ଫିଲ୍ମଟି ସଂପୂର୍ଣ୍ଣ ପ୍ୟାକେଜ ଭଳି ଲାଗିଥାଏ । ଠିକ୍ ସେହିଭଳି ପାର୍ସଲ ବୋମା ଘଟଣାଟିରେ ସବୁ କିଛି ଥିବାରୁ ପ୍ରଯୋଜକଙ୍କୁ ଖୋରାକ ଯୋଗାଇଛି ।
ରେଞ୍ଜ ରୟାଲ ସିନେ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମ ‘ବୁଲେଟ ରାଜା’ର ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ଶ୍ରୀଧର ମାର୍ଥା । ପାର୍ସଲ ବୋମା ଘଟଣାର ଖଳନାୟକ ପୁଞ୍ଜିଲାଲ ମେହେରଙ୍କୁ ଟାର୍ଗେଟ କରି ଫିଲ୍ମଟି ନିର୍ମାଣ କରାଯାଉଛି । ସେଥିପାଇଁ ପ୍ରଯୋଜକ ଶ୍ରୀଧର ମାର୍ଥା ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କ ଭୂମିକାରେ ହର ରଥ ଏବଂ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ମନୋଜ ମିଶ୍ର ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି ।
ସତ୍ୟ ଘଟଣା ଉପରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଆଶା ରହିଛି । ଯଦି କୌଣସି ବ୍ୟକ୍ତି ଏହି ବୋମା ବିସ୍ଫୋରଣ ଘଟଣା ରେ ଅବଗତ ନାହାନ୍ତି । ତେବେ ଆପଣ ତଳେ ଦିଆ ଯାଇଥିବା ଲିଙ୍କ କୁ ଯାଇ ସଂପୁର୍ଣ୍ଣ ଘଟଣା ବିଷୟରେ ଜାଣିପାରିବେ ।