ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ କିଛି ଦିନ ହେବ ଜଣେ ଅଭିନେତ୍ରୀ ବହୁ ଚର୍ଚ୍ଚାରେ ଆସୁଛନ୍ତି । କେଉଁ ଫିଲ୍ମକୁ ନେଇ ନୁହେଁ କି କିଛି ବିବାଦୀୟ ବୟାନକୁ ନେଇ ନୁହେଁ । ବରଂ ଅଭିନେତ୍ରୀ ଜଣଙ୍କ ଚର୍ଚ୍ଚାରେ ଆସିବାର କାରଣ ହେଉଛି ଠକେଇ । ଅଭିନେତ୍ରୀ ଜଣକ ଏତେ ଠକେଇ କରିଛନ୍ତି ଯେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ଅଭିନେତ୍ରୀ ଜଣଙ୍କ ଓଲିଉଡରେ କାମ କରନ୍ତି । ପ୍ରଥମେ ତାଙ୍କ ନାଁରେ ପ୍ରେମ, ପ୍ରତାରଣା ଓ ଠକେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ଆଣିଥିଲେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମାରାଜୁ ରବି କୁମାର । ଅଭିନେତ୍ରୀ ଜଣଙ୍କ ରବି କୁମାରଙ୍କୁ ବାହା ହେବାର ପ୍ରତିଶୃତି ଦେଇ ୨ଲକ୍ଷ ଟଙ୍କା, ସୁନା ଗହଣା ଓ ଲାପଟପ ଠକି ନେଇଥିବାର ଅଭିଯୋଗ ହୋଇଛି । ଏହାସହ ଯୁବକଙ୍କୁ ଧମକଚମକ ଦେବା ସହ ତାଙ୍କୁ ଦୁଷ୍କର୍ମ ମାମଲାରେ ଫସାଇ ଦେବେ ବୋଲି ଅଭିନେତ୍ରୀ ଜଣକ ଫୋନ ମାଧ୍ୟମରେ କହିଥିଲେ । ଏହି ଘଟଣାଟି ବାହାରକୁ ଆସିବା ପରେ ଅଭିନେତ୍ରୀଙ୍କ ନାଁରେ ଆଉ ଦୁଇଟି ଠକେଇ ଅଭିଯୋଗ ଆସିଛି ।
ଉତ୍ତରାଖଣ୍ଡର ଭିକି ସରକାର କହିଛନ୍ତି ଯେ, ଫିଲ୍ମରେ ହିରୋ ହିରୋଇନ ଆବଶ୍ୟକର ବିଜ୍ଞାପନ ଦେଖି ସେ କଲ୍ କରିଥିଲେ । କଲ୍ ରେ ତାଙ୍କ ସହ ଉକ୍ତ ଅଭିନେତ୍ରୀ କଥା ହୋଇଥିଲେ । ଅଭିନେତ୍ରୀ ଭିକିଙ୍କୁ ଫଟୋ ସୁଟ୍ ପାଇଁ ଓଡିଶା ଡାକିଥିଲେ ଓ ଫଟୋ ସୁଟ୍ କରାଇଥିଲେ । ଏହା ପରେ ଭିକିଙ୍କ ଠାରୁ ୧୦ ହଜାର ଟଙ୍କା ନେଇ ତାଙ୍କ ଫଟୋ ସିଲେକ୍ସନ ପରେ ତାଙ୍କୁ ଡକାଯିବ ବୋଲି କହିଥିଲେ । କିନ୍ତୁ ତା ପରେ ଆଉ ଧରାଛୁଆଁ ଦେଇ ନଥିଲେ । ସେହିଭଳି ବହ୍ମପୁରର ଜଣେ ଯୁବକ ପୁପୁନ୍ ମହାରଣା ସମାନ ଅଭିଯୋଗ କରିଛନ୍ତି । ପୁପୁନ୍ ଙ୍କ କହିବା ଅନୁସାରେ ଫିଲ୍ମରେ ହିରୋ କରେଇଦେବାକୁ କହି ଅଭିନେତ୍ରୀ ଜଣକ ତାଙ୍କ ଠାରୁ ୧୫ ହଜାର ଟଙ୍କା ନେଇଥିଲେ । ଏହା ପରେ ଆଉ ତାଙ୍କ ଫୋନ ଉଠାଇ ନଥିଲେ । ଟଙ୍କା ଫେରାଇ ନେବା ପାଇଁ ପୁପୁନ୍ ବାରମ୍ବାର ଭୁବନେଶ୍ୱର ଆସି ହତାଶ ହେବା ପରେ ସେ ଚୁପ ହୋଇ ଯାଇଥିଲେ । ଗୋଟିଏ ପରେ ଗୋଟିଏ ଠକେଇ ଅଭିଯୋଗ ଅଭିନେତ୍ରୀଙ୍କ ନାଁରେ ଆସୁଥିବାରୁ ତାଙ୍କ ବିବାଦ ଥମିବାର ନାଁ ଧରୁନି ।