ଭୁବନେଶ୍ୱର,(ଏଟିଆରବ୍ୟୁରୋ): କଥାରେ ଅଛି ସରକାର କା’ ମାଲ ଦରିଆ ମେଁ ଡାଲ । ଏ କଥାକୁ କିଏ ପ୍ରମାଣ କରୁ ବା ନ’ କରୁ କିନ୍ତୁ କମିଶନରେଟ ପୁଲିସ ଏହାକୁ ପ୍ରମାଣ କରିବାରେ ଓସ୍ତାଦ୍ । ଯାହାର ଆଖିଦେଖା ପ୍ରମାଣ ହେଉଛି ବିଟ୍ ପାଟ୍ରୋଲିଂ ପାଇ ଥାନାକୁ ଆସିଥିବା ବାଇକ୍୍ ସବୁ । ଜାଣିଲେ ମୁଣ୍ଡରେ ହାତଦେବେ ଏବେ ଏକାଧିକ ବାଇକ ଥାନାରେ ପଡି ଖତ ଖାଉଛି । ଏ କଥା ନୁହେଁ ଯେ, ଏନେଇ ବିଭାଗୀୟ ଅଧିକାରୀ କିଛି ଜାଣି ନାହାନ୍ତି ବରଂ ଆନ୍ତରିକତା ଅଭାବ ଯୋଗୁ ଗାଡି ଗୁଡିକ ପଡି ପଡି ଏବେ କବାଡିଆ ଖାନା ହୋଇଗଲାଣି ।
ଅଭିଯୋଗ ହୋଇଛି ହାତରୁ ବାଜୁନଥିବା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ୨୦୦୮ରେ କମିଶନରେଟ ପୁଲିସ ଲାଗୁହେବା ପରଠୁ ହିଁ ପାଟ୍ରୋଲିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ବାସ ଏହାପରେ ସହର ସାରା ଚକ୍କର କାଟିଲା ପିସିଆର ଭ୍ୟାନ୍ । କିନ୍ତୁ ଗଳିକନ୍ଦି କଥା ପଡିଲା ବେଳକୁ ସେହି ଭ୍ୟାନ୍ ଏକାବେଳକେ ମାଟି କାମୁଡିଲା । ଫଳସ୍ୱରୂପ ଗଳିକନ୍ଦିରେ ଉତ୍ପାତ କଲେ ଦୁର୍ବୃତ୍ତ । ଖାସ ଏହି ଦୃଷ୍ଟି କୋଣରୁ ୨୦୧୨ରେ ଆରମ୍ଭ ହେଲା କମିଶନରେଟ ପୁଲିସର ନୂଆ ମିଶନ ‘ବିଟ୍ ପାଟ୍ରୋଲିଂ’ । ଯଦିଓ ଏହି ମିଶନ ଲାଗି ଏକାଧିକ ବାଇକର ଆବଶ୍ୟକତା ପଡିଥିଲା କିନ୍ତୁ କମିଶନରେଟ ପୁଲିସକୁ ଏନେଇ କୌଣସି ଅସୁବିଧା ହୋଇନଥିଲା । ଏକ ସଂସ୍ଥା ମୁଣ୍ଡରେ ଭାର ଲଦିଦେଇ ପ୍ରଥମ ପର୍ଯ୍ୟାୟରେ ମୋଟ ୩୧ଟି ବାଇକ୍ ଅଣାଯାଇ ଥାନାକୁ ବଣ୍ଟାଗଲା ।
ହାଇସ୍ପିଡ ସାଙ୍ଗକୁ ନୂଆ ବାଇକ ପାଇ ଥାନା କର୍ମଚାରୀ ବି ଖୁସ ହୋଇଗଲେ । ସେତେବେଳେ ପୁଲିସର ଏହି ପୟାସକୁ ସର୍ବସାଧାରଣରେ ବେଶ ପ୍ରଶଂସା କରାଯାଇଥିଲା । ହେଲେ ବିଡମ୍ବନାର କଥା ଦିନ କେଇଟା ବିତିନଥିଲା ସବୁ ଫୁସ । ବାଇକ୍ ସବୁ ଥାନାରେ ପଡି ରହିଲା । ଖବର ନେବାରୁ ଜଣାପଡିଲା ଉଚିତ ରକ୍ଷଣା ବେକ୍ଷଣ ଅଭାବ ହିଁ ଏହା ପଛର ମୂଳ କାରଣ । ତେବେ ଏହାକୁ ସଜାଡିବା ବଦଳରେ ପୁଣି ଆଉ ଏକ ସଂସ୍ଥା ମୁଣ୍ଡରେ ହାତ ବୁଲାଇଲା କମିଶନରେଟ ପୁଲିସ । ୨୦୧୩ ସେପ୍ଟେମ୍ବର ୧୩ରେ ସେଠାରୁ ଆସିଲା ମୋଟ୍ ୧୭ଟି ୟାମାହା ବାଇକ୍ । ଏସବୁର ଅବସ୍ଥା ମଧ୍ୟ ଧୀରେ ଧୀରେ ବିଗିଡି ଗଲା । ରେକର୍ଡ କହୁଛି ମୋଟ୍ ୪ଟି ପର୍ଯ୍ୟାୟରେ କମିଶନରେଟ ପୁଲିସ ଥରକୁ ଥର ଏମିତି ବାଇକ୍ ପ୍ରତି ଥାନାକୁ ବାଣ୍ଟିଛି । ହେଲେ କର୍ମଚାରୀଙ୍କ ହେୟଜ୍ଞାନ ଯୋଗୁ ସବୁ କିଛି ବର୍ବାଦ ହୋଇଯାଇଛି । ଛୋଟ ମୋଟ ସମସ୍ୟାର ସମାଧାନ ନକରି ଖରାପ ହୋଇଯାଇଥିବା ଦର୍ଶାଇ ବାଇକଗୁଡିକୁ ଫିଙ୍ଗି ଦିଆଯାଇଛି । ସେ ଗାଡି ଚକା ଲିକ୍ ହେଉ ଅବା ପ୍ଲଗ କାର୍ବନ ।
ଟଙ୍କାଟିଏ ଦେଇ ସଜାଡିବାକୁ ତଳିଆ କର୍ମଚାରୀ କୁନ୍ଥକୁନ୍ଥ ହେଉଥିବା ବେଳେ ପରିସ୍ଥିତି ଆଜି ଆଖି ସାମ୍ନାରେ । ଲକ୍ଷ ଲକ୍ଷ ଟଙ୍କାର ବାଇକ ଖତ ଖାଉଛି । ସୂଚନାଯୋଗ୍ୟ, ଟ୍ରାଫିକ୍ ପୁଲିସକୁ ମଧ୍ୟ ଅନୁରୂପ ଢ଼ଙ୍ଗରେ ମୋଟ୍ ୨୨ଟି ବାଇକ୍ ଯୋଗାଇ ଦିଆଯାଇଥିଲା । ଉଦ୍ଦେଶ୍ୟ ଥିଲା ନିୟମ ଭାଙ୍ଗୁଥିବା ଲୋକଙ୍କୁ ଏହା ପିଛା କରିବ । ହେଲେ ଏବେ ସେହି ସବୁ ଗାଡିର ଅବସ୍ଥା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି । ଯେଉଁ କେତୋଟି ଚାଳୁଛି ତାହା ସାଇକେଲ ଠୁ ବି ହୀନ ବୋଲି ମତ ପ୍ରକାଶ ପାଇଛି । ଆଶା କରିବୁ ଏହି ରିପୋର୍ଟ ପରେ ଅବହେଳିତ ଅବସ୍ଥାରେ ପଡିଥିବା ଏହି ବାଇକ୍ ଉପରେ ନଜର ପକାଇବେ ବରିଷ୍ଠ ଅଧିକାରୀ । ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍