ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଧିରେ ଧିରେ କଂଗ୍ରେସ ବିପର୍ଯ୍ୟୟ ଆଡକୁ ଅଗ୍ରସର ହେଉଛି । ୨୦୧୪ ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନରେ କଂଗ୍ରେସ କେନ୍ଦ୍ରରେ ଏବଂ ରାଜ୍ୟରେ ଶୋଚନୀୟ ପରାଜୟ ହୋଇଛି । ରାଜ୍ୟରେ କଂଗ୍ରେସ ଗତଥର ଅପେକ୍ଷା ଏଥରକ ୧୦ରୁ ଅଧିକ ସିଟ କମି ଯାଇଛି । ଚଳିତ ବର୍ଷ କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଛି । ତେବେ ଲୋକ କଂଗ୍ରେସକୁ କାହିଁକି ପ୍ରତ୍ୟାଖାନ କରିଛନ୍ତି ତାକୁ ନେଇ ରାଜ୍ୟରେ କାରଣ ଖୋଜା ଆରମ୍ଭ ହେବ ।
ବିପର୍ଯ୍ୟୟର କାରଣ ଖୋଜିବା ପାଇଁ କଂଗ୍ରେସ କମିଟିର ତଥ୍ୟ ଅନୁସନ୍ଧାନ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ୧୮ଜଣ ସଦସ୍ୟଙ୍କୁ ନେଇ ୬ଟି ସବ୍ କମିଟି ଗଠନ କରିଛନ୍ତି । ୩ଜଣିଆ ପ୍ରତ୍ୟେକଟି ସବ୍ କମିଟିରେ ରହିଛନ୍ତି ଦୁଇଜଣ ସଦସ୍ୟ ଓ ଜଣେ ଆବାହକ । ଏହି ସଦସ୍ୟମାନଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେମାନେ କାରଣ ଖୋଜିବା ସହିତ ତୃଣମୂଳ ସ୍ତରଯାଇ ଲୋକଙ୍କ ବିଶ୍ୱାସି ହେବା ଏହି କମିଟି ଗଠନର ମୁଖ୍ୟ ଲକ୍ଷ୍ୟ ।ରିପୋର୍ଟ ଆସନ୍ତା ୩୦ ତାରିଖରେ ନରସିଂହ ମିଶ୍ରଙ୍କ ଆଗରେ ପ୍ରଦାନ କରିବେ ।
ସବ୍ କମିଟି ୧- ସାନଖେମୁଣ୍ଡି ବିଧାୟକ ଆବାହକ ରହିଥିବା ବେଳେ ଯଞ୍ଜେଶ୍ୱର ଏବଂ ଜ୍ଞାନେନ୍ଦ୍ର ସଦସ୍ୟ ରହିଛନ୍ତି । ଏହି ସବ୍ କମିଟି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲା ଗସ୍ତକରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଲୋକସଭା ନିର୍ବାଚନ ମଣ୍ଡଳୀରେ ତଥ୍ୟ ସଂଗ୍ରହ କରିବେ ।
ସବ୍ କମିଟି-୨ରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆବାହକ ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଓ ରାଜ୍ୟ ମହିଳା କଂଗ୍ରେସର କାର୍ୟ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କୁ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ସବ୍ କମିଟି ଗଞ୍ଜାମ, ପୁରୀ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ କରି ତଥ୍ୟ ସଂଗ୍ରହ କରିବ ।
ସବ୍ କମିଟି-୩ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆବାହକ ଥିବାବେଳେ ପୂର୍ବତନ ବିଧାୟକ ଭୁଜବଳ ମାଝି ଓ ପିସିସି ଉପସଭାପତି ଶିବାନନ୍ଦ ରାୟ ସଦସ୍ୟ ଅଛନ୍ତି । ତିନି ନମ୍ବର ସବକମିଟି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲା ଗସ୍ତ କରି ପରାଜୟର କାରଣ ଖୋଜିବ।
ସବ୍ କମିଟି-୪ରେ ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କୁ ଆବାହକ ନିଯୁକ୍ତ କରାଯାଇଛି । ତେବେ ଏହି କମିଟିରେ ସଦସ୍ୟ ଦାୟିତ୍ୱରେ ଅଛନ୍ତି ନେତା ସତ୍ୟଶିବ ଦାସ ଓ ପିସିସି ସାଧାରଣ ସମ୍ପାଦକ ଜ୍ଞାନଦେବ ବେହୁରା । କମିଟି ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିବ ।
ସବ୍ କମିଟି-୫ରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଆବାହକ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ସବ୍ କମିଟିର ସଦସ୍ୟ ଭାବେ ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ଓ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ୟ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ସଦସ୍ୟ ଭାବେ ରହିଛନ୍ତି । କଂଗ୍ରେସର ପରାଜୟ କାରଣ ଜାଣିବାକୁ ଏହି ସବକମିଟି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଗସ୍ତ କରିବ ।
ସବ୍ କମିଟି-୬ରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆବାହକ ଥିବାବେଳେ ପିସିସି ଉପସଭାପତି ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ସଦସ୍ୟ ଅଛନ୍ତି । ଏହି ସବ୍ କମିଟି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଦଳର ପରାଜୟର ବିଭିନ୍ନ କାରଣ ଅନୁସନ୍ଧାନ କରି ଚଳିତମାସ ୩୦ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।