ଭୁବନେଶ୍ୱର,(ଏଟିଆରବ୍ୟୁରୋ): ପୁଣି ଜଣେ ବରିଷ୍ଠ ନେତା ତଥା ସାଂସଦ ବିଜେଡିକୁ ବାଏ ବାଏ କହିଛନ୍ତି । ସେ ହେଉଛନ୍ତି ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ସେଠୀ । ଆଜି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସିଧାସଳଖ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜ ଇସ୍ତଫା ପତ୍ର ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ।
ସବୁଠୁ ବଡ଼ କଥା ହେଉଛି ସାଂସଦ ଅର୍ଜୁନ ସେଠୀ ମଧ୍ୟ ଟିକେଟ ବଣ୍ଟାକୁ ଦାୟି କରି ଖୁବ୍ ବର୍ଷିଛନ୍ତି । ଯାହାର ଯୋଗ୍ୟତା ନାହିଁ ତାକୁ ହିଁ ଦଳ ପ୍ରାଧାନ୍ୟ ଦେଉଛି । ଯେଉଁମାନେ ଦିନରାତି ଏକକରିି ଦଳ ପାଇଁ କିଛି କରିଛନ୍ତି ତାଙ୍କ ପ୍ରତି ଅବିଚାର କରାଯାଉଥିବା ସାଂସଦ ଅଭିଯୋଗ ଉଠାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିି ନିଜ ପୁଅକୁ ଟିକେଟ ଦେବା ଲାଗି ସେ ପ୍ରସ୍ତାବ ଦେଇଥିଲେ । ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ଧ୍ୟାନ ଦେବେ ବୋଲି କହିଥିଲେ । ହେଲେ ପୁଅକୁ ଟିକେଟ ମିଳିଲା ନାହିଁ । ଯୋଗ୍ୟତା ନଥିବା ଲୋକଙ୍କୁ ଦଳ କୋଳେଇ ନେଲା ।
ଯାହା ତାଙ୍କୁ ବେଶ ବାଧିଛି ଓ ସେଥିପାଇଁ ସେ ଦଳରୁ ଇସ୍ତଫା ଦେଇଥିବା ସାଂସଦ ଗଣମାଧ୍ୟମକୁ ଜଣାଇଛନ୍ତି । ସେପଟେ ଯେଉଁ ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ନେଇ ଦଳ ଦିନେ ଲୋକଙ୍କ ବିଶ୍ୱାସ ଜିତିଥିଲା ତାହା ଏବେ ଦଳ ଭୁଲି ଯାଇଛି ବୋଲି କହିଛନ୍ତି ସାଂସଦ । ସୂଚନାଯୋଗ୍ୟ, ଟିକେଟ ବଣ୍ଟାକୁ ନେଇ ଏବେ ପ୍ରାୟ ସବୁ ଦଳରେ ଅସନ୍ତୋଷ ପ୍ରକାଶ ପାଉଛି । ଯାହାର ଫଳସ୍ୱରୂପ ନେତା ଏ ଦଳରୁ ସେ ଦଳକୁ ଡେଉଁଛନ୍ତି । ତେବେ ଦେଖିବାର ରହିଲା ଏହି ଡିଆଁ ଡେଇଁ ରୋଗ ଏହି ନେତାଙ୍କୁ କେତେ ଲାଭ ଦାୟକ ହେଉଛି ।