ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦୁଇ ଥର ବିଧାୟକ ହୋଇଛନ୍ତି ଅଶୋକ ପଣ୍ଡା । ସାମ୍ବାଦିକତାରୁ ଆସି ରାଜନୀତିରେ ପାଦ ଦେବା ପରେ ସେ ଏହି ଅପୂର୍ବ ସଫଳତା ପାଇଛନ୍ତି । ତେବେ ଚଳିତ ନିର୍ବାଚନରେ ବହୁ ନେତାଙ୍କ ଟିକେଟ କଟିଥିଲେ ସୁଦ୍ଧା ତୃତୀୟ ଥର ଲାଗି ଅଶୋକଙ୍କୁ ଭରଷା କରି ଦଳ ଟିକେଟ ଦେଇଛି । ଯଦି ସେ ଏଥରକ ବିଜୟ ହେବେ ଏହା ତାଙ୍କର ହ୍ୟାଟ୍ରିକ ବିଜୟ ହେବ । ଏଣୁ ନୂଆ ରେକର୍ଡ କରିବା ପାଇଁ ନିର୍ବାଚନ ମଣ୍ଡଳୀରେ ପତିଆରା ବଢ଼ାଇବାରେ ଲାଗିଛନ୍ତି ଅଶୋକ । ଭୁବନେଶ୍ୱରରେ ଏକମାତ୍ର ଆସନରେ ଭାବରେ ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଯାହାର ଫାଇଦା ଅଶୋକଙ୍କ ପାଇଁ ସହାୟ ହୋଇପାରେ ବୋଲି ଅନୁମାନ କରାଯାଇଛି ।
ବିଜେପି ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାବୁ ସିଂହଙ୍କୁ ପ୍ରାର୍ଥୀ କରିଛି । ବାବୁ ନିକଟରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ବିଜେଡି ଟିକେଟ ଦେବ ନାହିଁ ବିଶେଷ ସୂତ୍ରରୁ ଖବର ପାଇବା ପରେ ସେ ବିଜେପି ମୁହାଁ ହୋଇଥିଲେ । ସେ ପୂର୍ବରୁ ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଥିଲେ । ଏଣୁ ବିଜେଡିର କିଛି ଅସନ୍ତୁଷ୍ଟ ଗୋଷ୍ଠୀ ମଧ୍ୟ ବିଜେପିରେ ଯୋଗ ଦେଇଥିବାରୁ ବାବୁଙ୍କ ବଳ ଦଳ ପାଇଁ ସହଯୋଗ ହେବ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ଏଠାରେ କଂଗ୍ରେସ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ଦୁଇଟି ନିର୍ବାଚନରେ ସେ ସ୍ୱାଧୀନ ଲଢ଼ିବା ପରେ ଏଥରକ କଂଗ୍ରେସ ଟିକେଟ ପାଇଛନ୍ତି । ଏଣୁ ତିନିଜଣ ପ୍ରମୁଖ ନେତା ନିର୍ବାଚନକୁ ଓହ୍ଲାଇଥିବାରୁ ଏହି ଆସନ ଉପରେ ରହିଛି ସମସ୍ତଙ୍କ ନଜର ।