ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ତାରିଖ ଘୋଷଣା ହେବା ପରେ ନବୀନ ନିବାସରେ ଜମୁଛି ନେତାଙ୍କ ଭିଡ । ଲମ୍ବା ଲାଇନରେ ଯାଇ ଦଳର ହାଇକମାଣ୍ଡଙ୍କ ପାଖରେ ଟିକେଟ ପାଇଁ ଲବି କରୁଛନ୍ତି ଗଣ୍ଡା ଗଣ୍ଡା ଆଶାୟୀ ପ୍ରାର୍ଥୀ । ତେବେ ଦଳର ସୁପ୍ରିମୋ ସୂଚନା ଦେଇଛନ୍ତି କି ଯେଉଁ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ରହିବ ତାକୁ ଦଳ ଟିକେଟ ଦେବ । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ନେତାମାନେ ପତିଆରା ଦେଖାଉଥିବା ଏବଂ କିଛି ସମର୍ଥକଙ୍କୁ ଧରି ବାହାରି ପଡିଛନ୍ତି ନିବୀନ ନିବାସ ଅଭିମୁଖେ ।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ମଣ୍ଡଳୀରେ ନିର୍ବାଚନ ହେବ । ଏଣୁ ଏହି ସବୁ ଆଶାୟୀ ପ୍ରାର୍ଥୀମାନେ କଳ ଏବଂ ବଳ ପ୍ରୟୋଗ କରି ଟିକେଟ ଆଶାରେ ନବୀନ ନିବାସରେ ଭିଡ ଜମାଉଛନ୍ତି । ରାଜ୍ୟରେ ବିଜେପି ସରକାରରେ ଥିବାରୁ ଅଧିକାଂଶ ପ୍ରାର୍ଥୀଙ୍କ ମନରେ ଭାବନା ରହିଛି ବିଜେଡି ଟିକେଟ ହାତେଇବା ମାନେ ନିର୍ବାଚନୀ ବୈତରଣୀ ପାର ହେବା । ଏଣୁ ଅଧିକାଂଶ ପ୍ରାର୍ଥୀ ବିଜେଡି ଟିକେଟ ଆଶାରେ ଭିଡ ଜମାଇବାରେ ଲାଗିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ ରହିଥିବାରୁ ଆଜି ନିର୍ବାଚନ ମଣ୍ଡଳୀର ବହୁ ନେତା ନବୀନ ନିବାସରେ ଡେରା ପକାଇଥିବା ଦେଖିବାକୁ ମିଳିଛି । ଜୟପୁର ପୂର୍ବତନ ବିଧାୟକ ରବି ନନ୍ଦ ମଧ୍ୟ ନବୀନ ନିବାସରେ ଟିକେଟ ଲବି କରୁଥିବା ଜଣା ପଡିଛି ।
ସେପଟେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କି ମହିଳାଙ୍କ ପାଇଁ ୩୩% ରିଜଭେସନ । ଏଣୁ ମହିଳା ନେତ୍ରୀମାନେ ମଧ୍ୟ ବହୁ ସଂଖ୍ୟାରେ ନବୀନ ନିବାସରେ ଡେରା ପକାଉଛନ୍ତି । ଲୋକସଭା ଆସନ ପାଇଁ ୭ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ମିଳିବ । ଏଣୁ ଆବଶ୍ୟକତାଠାରୁ ଅଧିକ ମହିଳା ଟିକେଟ ଆଶାରେ ଭିଡ ଜମାଉଛନ୍ତି । ଚଳିତ ବର୍ଷ ନିର୍ବାଚନରେ କଡା ଟକ୍କର ହେବ ବୋଲି ବିଭିନ୍ନ ଜନମତ ଏବଂ ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ବିରୋଧୀମାନେ ମଧ୍ୟ ଶାସକ ଦଳକୁ ଏଥର ଚକମା ଦେଖାଇବା ପାଇଁ ଆରମ୍ଭ କରି ଦେଇଛନ୍ତି କସରତ ।