ବାଲେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ତିନୋଟି ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏବେ ସମସ୍ତଙ୍କ ନଜର ତଚୁର୍ଥ ପର୍ଯ୍ୟାୟ ଉପରେ । ତେବେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋରସୋର ଆରମ୍ଭ ହୋଇଛି । ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳର ହେବିୱେଟଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳୁଛି । ତ୍ରିମୁଖୀ ଲଢ଼େଇ ରାଜ୍ୟ ରାଜନୀତି ଉପରେ ବେଶ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି ।
ବିଜେଡି ସାଂସଦ ରବିନ୍ଦ୍ର ଜେନାଙ୍କ ଉପରେ ଭରଷା କରି ପୁଣିଥରେ ଟିକେଟ ଦେଇଛି । ବିଜେପି ନୀଳଗିରିର ଜଣାଶୁଣା ନେତା ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରତାପ ଷଢ଼ଙ୍ଗୀଙ୍କୁ ଟିକେଟ ଦେଇଛି । ଅପରପକ୍ଷରେ ଦୁଇ ବିରୋଧୀଙ୍କୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ପିସିସି ସଭପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତିଙ୍କୁ ମଇଦାନକୁ ପଠାଇଛି । ତିନି ନେତା ହେବିୱେଟ ହୋଇଥିବାରୁ ଏଠାରେ ଲଢ଼େଇ ଜୋରଦାର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ରବିନ୍ଦ୍ର ଜେନା ବିଜେଡି ପକ୍ଷରୁ ଏଠାରେ ସାଂସଦ ହୋଇଥିବାରୁ ତାଙ୍କର କିଛି ନିଜସ୍ୱ ଭୋଟ ବ୍ୟାଙ୍କ ରହିଥିବା ବେଳେ ଦଳୀୟ ଭୋଟ ତାଙ୍କ ପାଇଁ ସହାୟକ ହେବ ବୋଲି ବିଜେଡି ଆଶା ରଖିଛି । ଅପରପକ୍ଷରେ ବିଜେପି ଅଧିନରେ ଏହି ଆସନ ଦୀର୍ଘ ୧୫ ବର୍ଷ ରହିଥିଲା । ବିଜେପିର ଟାଣୁଆ ନେତା ଖାରବେଳ ସ୍ୱାଇଁ ତିନିଥର ବିଜୟ ହୋଇଥିଲେ । ତେବେ ସେ ଦଳ ଛାଡି ନୂଆ ଦଳ ଗଢ଼ିଥିଲେ ସୁଦ୍ଧା ଚଳିତ ନିର୍ବାଚନରେ ପୁଣିଥରେ ବିଜେପି ଘର ବାହୁଡା କରି କନ୍ଧମାଳରେ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ତାଙ୍କର ନିଜସ୍ୱ ଭୋଟ ବ୍ୟାଙ୍କ ପ୍ରତାପଙ୍କ ଖାତାକୁ ଯିବ ବୋଲି ଆଶା ରଖିଛି ଦଳ । କଂଗ୍ରେସର ନେତା ନବଜ୍ୟୋତି ଯୁବ ଭୋଟରଙ୍କ ଉପରେ ମୁଖ୍ୟତଃ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି ।