ଭୁବନେଶ୍ୱର(ଏଟିଆର ବ୍ୟୁରୋ); ରାଜ୍ୟରେ ବଢ଼ି ଚାଲିଛି ବେକାରୀ ସମସ୍ୟା । ପାଠ ପଢ଼ି ଗାଁରେ ଯାଇ ବେକାର ହୋଇ ବୁଲୁଛନ୍ତି ଶିକ୍ଷିତ ଯୁବକ । ଇଞ୍ଜିନିୟରିଂ ଭଳି ପାଠ ପଢ଼ି ମଧ୍ୟ ବେକାର । କଣ୍ଟ୍ରାଟ୍ରି କରିବା ପାଇଁ ଲାଇସେନ୍ସ ଥିଲେ ମଧ୍ୟ ମିଳୁନି କାମ । ତେବେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି । ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚାର ସଭାପତି ରାଜେନ୍ଦ୍ର କୁମାର,ବିଶ୍ୱରଞ୍ଜନ ବଡଜେନା,ଠାକୁର ରଞ୍ଜିତ ଦାସ ଏବଂ ଟଙ୍କଧର ବାବୁ ପ୍ରମୁଖ ଯୋଗଦେଇଥିଲେ ।
ଶାସକ ବିଜେଡି ସରକାର କୋଟି କୋଟି ଟଙ୍କାର ବଡ ବଡ କାମକୁ ଲକ୍ଷ ଲକ୍ଷ ଟଙ୍କାରେ ଛୋଟ ଛୋଟ କାମ କରି ଅଧିକ ପିସି ପାଇବା ପାଇଁ ପ୍ରହସନ କରୁଛନ୍ତି ବୋଲି କୁହାଯାଇଛି । ସେପଟେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ି ଲାଇସେନ୍ସ କରିଥିବା ଯୁବକମାନଙ୍କୁ କାମ ନଦେଇ ଶାସକ ଦଳରେ ଥିବା ବଡ ବଡ ନେତା ଏବଂ ମନ୍ତ୍ରୀମାନେ ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ନିଜେ ସବୁ କାମ କରୁଛନ୍ତି । ଏଣୁ ରାଜ୍ୟ ସରକାରଙ୍କ ପାଇଁ ଆଜି ରାଜ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବହୁ ରାଲି ସହ ସରକାରଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ ମଧ୍ୟ ହତାସ ହୋଇଥିବା କହିଛନ୍ତି ବିଜେପି କର୍ମୀ । ଏଣୁ ଆସନ୍ତା କାଲି ବେକାରୀ ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ ଆନ୍ଦୋଳନକୁ ଶାଣିତ କରିବା ପାଇଁ ନିଉ ଓଡିଶା ୟୂଥ କୋଡିନେଟର ପକ୍ଷରୁ ଭୁବନେଶ୍ୱର ସ୍ଥିତ ହୋଟେଲ ମ୍ୟାରିୟନରେ ଏକ ବଡ ଧରଣର ସମାବେଶ ଅନୁଷ୍ଠିତ ହେବ ।
ଆସନ୍ତା କାଲି ଆୟୋଜିତ ହେବାକୁ ଥିବା ସଭାରେ ବିଜେପି ବିଧାୟକ ଦଳ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବେ । ରାଜ୍ୟ କୋଣ ଅନୁକୋଣରୁ ପ୍ରାୟ ୬୦୦ରୁ ଅଧିକ କର୍ମୀ ଯୋଗ ଦେବେ ବୋଲି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ସରକାର ଯଦି ବେକାରୀ ସମସ୍ୟା ଦୂର ନକରିବେ ତେବେ ଏହି ଆନ୍ଦୋଳନ ତିବ୍ର ହେବ ।