ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡି ସୁପ୍ରିମୋ ବିଜେପୁର ଆସନ ଛାଡିବା ପରେ ଏଠାରେ ହେବାକୁ ଥିବା ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଦଳରେ ଗଣ୍ଡା ଗଣ୍ଡା ପ୍ରାର୍ଥୀ ଚାହିଁ ବସିଛନ୍ତି । ପାଖାପାଖି ଅଧ ଡର୍ଜନେ ନେତା ଆଶାୟୀଥିବା ଶୁଣିବାକୁ ମିଳୁଛି । ରୀତା ସାହୁ ଏଠାରେ ଟିକେଟ ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି । ତେବେ ସବୁବେଳେ ଅନୁକମ୍ପା କାମ କରିନଥାଏ । ଏଣୁ ତାଙ୍କ ଟିକେଟ ମଧ୍ୟ କଟିଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ରୀତାଙ୍କ ପରେ ପ୍ରଶନ୍ନ ଆଚାର୍ଯ୍ୟ ମଧ୍ୟ ଟିକେଟ ରେସରେ ରହିଛନ୍ତି । ପଶ୍ଚିମ ଓଡିଶାରେ ଜଣେ ଟାଣୁଆଁ ନେତା ହୋଇଥିବାରୁ ତାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି । ସରକାରୀ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିବା ନଳିନୀ ପ୍ରଧାନ ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଏମାନଙ୍କ ବ୍ୟତିତ ଲୋକସଭା ଟିକଟ୍ରୁ ବାଦ୍ ପଡ଼ିଥିବା ଡ. ପ୍ରଭାସ ସିଂହ, ବିଜେପି ଛାଡ଼ି ବିଜେଡିରେ ମିଶିଥିବା ସୁବାସ ଚୌହାନ, ପ୍ରଭାତାଦିତ୍ୟ ମିଶ୍ର ପ୍ରମୁଖ ମଧ୍ୟ ଟିକଟ୍ ଦୌଡ଼ରେ ଅଛନ୍ତି।
ଏହିସବୁ ଆଶାୟୀଙ୍କ ପ୍ରାର୍ଥୀ ମଧ୍ୟରୁ ନବୀନ କାହା ଉପରେ ଭରଷା କରି ଟିକେଟ ଦେବେ ତାଉପରେ ସମସ୍ତଙ୍କ ନଜର । ତେବେ ବିଜେଡିର ଏହି ଟିକେଟ କଳି ଭିତରେ ବିରୋଧୀମାନେ ଏହା ଫାଇଦା ଉଠାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କଂଗ୍ରେସର ରିପୁନାଥ ସେଠ ପୁଣିଥରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଥିବା ବେଳେ ବିଜେପିର ଏଠାରେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି ।