ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରବିବାର ମୁଖ୍ୟମନ୍ତ୍ରୀ ଦିନିକିଆ ଢ଼େଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲା ଗସ୍ତରେ ଯିବେ । ସେଠାରେ ବିଭିନ୍ନ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ମୁଖ୍ୟମନ୍ତ୍ରୀ ଢ଼େଙ୍କାନାଳରେ ୯୫୩ କୋଟି ଟଙ୍କର ୧୦୩ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର କରୁଥିବା ବେଳେ ଅନୁଗୋଳ ଜିଲ୍ଲାରେ ୧ହଜାର ୧୨୯ କୋଟି ଟଙ୍କାର ୩୬ଟି ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି । ଆଜିର ଗସ୍ତରେ ମୁଖ୍ୟମନ୍ତ୍ରୀ ଫୋକସ ଚାଷୀଙ୍କ ଉପରେ ରହିବ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଢ଼େଙ୍କାନାଳ ଜିଲ୍ଲାରେ ୨ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ୮୧ କୋଟି ୫୦ ଲକ୍ଷ ଟଙ୍କାର ମେଗା ପ୍ରକଳ୍ପ ରହିଥିବା ବେଳେ ଅନୁଗୋଳରେ ୫ ହଜାର ୯୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ୧୬୨ କୋଟି ୮୦ ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରାଯିବ । ଅନୁଗୋଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବହୁବାର ପଡିଆରେ ଏକ ବିଶାଳ ସଭାର ଆୟୋଜନ କରାଯାଇଛି । ଏଠାରେ କାଳିଆ ସମାବେଶ କରାଯାଇଛି । ମୁଖ୍ୟମନ୍ତ୍ରୀ ସେଠାରେ ଯୋଗ ଦେବେ । ଏହି ସମାବେଶରେ ପ୍ରାୟ ଦେଢ଼ ଲକ୍ଷ ଲୋକ ଯୋଗ ଦେବେ ବୋଲି ଅନୁମାନ କରାଯାଇଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ନିର୍ବାଚନ ପାଖେଇ ଆସୁଥିବାରୁ ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ଏପରି କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କର ଚାଷୀଙ୍କ ପ୍ରତି ଏତେ ଦରଦ ଥିଲା ତେବେ ପୂର୍ବରୁ କେଉଁଠି ଶୋଇଥିଲେ । ନିର୍ବାଚନ ପାଖେଇ ଆସୁଥିବାରୁ କଣ ଚାଷୀଙ୍କ କଥା ମନେପଡିଗଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।