ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନକଲି ଗୁଇନ୍ଦା ରିପୋର୍ଟକୁ ନେଇ ପ୍ରେସମିଟ କରିଥିବା ଅଭିଯୋଗରେ ବିଜେପିର ତିନିଜଣ ନେତାଙ୍କୁ ସମନ ଜାରି କରିଛି କମିଶନରେଟ ପୁଲିସ । ଗୁରୁବାର ଭିତରେ ଖାରବେଳ ନଗର ଥାନାରେ ହାଜର ହେବା ପାଇଁ ନୋଟିସ କରାଯାଇଛି । ତେବେ ଅଭିଯୋଗ ହୋଇଥିବା ତିନି ବିଜେପି ନେତା ହେଲେ ରାଜ୍ୟ ଉପସଭାପତି ସମୀର ମହାନ୍ତି,ଟଙ୍କଧର ତ୍ରିପାଠୀ ଏବଂ ଗୋଲକ ମହାପାତ୍ର । ତେବେ ନିର୍ବାଚନ ବିଗୁଲ ବାଜିବା ପରେ ଥାନାରେ ହାଜର ହେବା ଆଗାମି ନିର୍ବାଚନରେ ଦଳକୁ ଅଡୁଆରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷରେ ବିଜେଡି ଚକ୍ରାନ୍ତ କରି ପୋଲିସ ମଧ୍ୟସ୍ଥତାରେ ଏଭଳି ମିଥ୍ୟା ଅଭିଯୋଗ କରିଛି ବୋଲି ବିଜେପି ସୂଚନା ଦେଇଛି ।
ସୂଚନା ଯୋଗ୍ୟ, ମଙ୍ଗଳବାର ବିଜେପି ପକ୍ଷରୁ ଏକ ପ୍ରେମମିଟ ଆୟୋଜନ କରାଯାଇଥିଲା । ଅଭିଯୋଗ ହୋଇଥିବା ତିନି ନେତା ଏହି ପ୍ରେମମିଟ ଆୟୋଜନ କରିଥିଲେ । ତେବେ ଏହି ପ୍ରେସମିଟରେ ବିଜେପି କହିଥିଲା କି ହିଞ୍ଜିଳିରେ ନବୀନ ପଟ୍ଟନାୟକ ହାରିବେ ବୋଲି ଗୁଇନ୍ଦା ରିପୋର୍ଟ ଦେଇଛି । ବିଜେପି ପକ୍ଷରୁ ଏକ ଗୁଇନ୍ଦା ରିପୋର୍ଟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ତେବେ ପ୍ରକାଶ କରାଯାଇଥିବା ଗୁଇନ୍ଦା ରିପୋର୍ଟ ନକଲି ବୋଲି ପୋଲିସ ସୂଚନା ଦେଇଥିଲା । ଏହାପରେ ପୋଲିସ ନିଜ ପକ୍ଷରୁ ତିନି ଜଣ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ବିଜେପି ନିର୍ବାଚନ ପାଖେଇ ଆସୁଥିବାରୁ ମିଥ୍ୟା ପ୍ରଚାର କରି ଭୋଟରଙ୍କୁ ପ୍ରଲୋଭନ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଏଣୁ ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ଅଭିଯୋଗ କରିଛି ।