ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିଜେଡିରୁ ନିଲମ୍ବନ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଚେକ ଦେବାକୁ ଯୋଜନା ଚାଲିଛି । ଖୋଦ ବିଜେଡି ତାଙ୍କୁ କେନ୍ଦ୍ରାପଡ଼ାରୁ ହଟାଇବାକୁ ଚକ୍ରାନ୍ତ ଆରମ୍ଭ କରିଛି ।
ଶୁଣିବାକୁ ମିଳୁଛି, ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାରେ ଚେକ ଦେବା ପାଇଁ ବିଜେଡି କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ଦଳରେ ସାମିଲ କରାଇବାକୁ ଚାହୁଁଛି । ଏମିତି ବି ବୈଜୟନ୍ତଙ୍କ ସହ କେନ୍ଦ୍ରାପଡ଼ର କୌଣସି ବିଧାୟକଙ୍କ ଭଲ ସମ୍ପର୍କ ନାହିଁ । ଏପରି ସ୍ଥିତିରେ ତାଙ୍କ ବିରୋଧରେ ଆହୁରି ଜନମତ ସୃଷ୍ଟି କରିବା ପାଇଁ ବିଜେଡି ତୃତୀୟ ମହଲାରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବିସ୍ତୃତ ସୂତ୍ରରୁ ଜଣାପଡ଼ିଛି । ଯୋଜନା ମୁତାବକ କଂଗ୍ରେସର ଜଣେ ବରିଷ୍ଠ ନାଁ କାର ନେତାଙ୍କୁ ୨୦୧୯ ନିର୍ବାଚନରେ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ମଣ୍ଡଳୀରୁ ପ୍ରାର୍ଥୀ କରିବ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି କଂଗ୍ରେସ ନେତାଙ୍କର ରାଜ୍ୟ ରାଜନୀତିରେ ବେଶ ଦବାଦବା ରହିଛି । ବୈଜୟନ୍ତ ଯଦି ସ୍ୱାଧୀନ କିମ୍ବା ବିଜେପି ଟିକେଟରୁ କେନ୍ଦ୍ରପଡ଼ାରୁ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୁଅନ୍ତି, ତା’ହେଲେ ବିଜେଡି ଉକ୍ତ କଂଗ୍ରେସ ନେତାଙ୍କୁ ତାଙ୍କ ବିରୋଧରେ ଛିଡ଼ା କରିବ । ସେହିପରି ମଝିରେ ଶୁଣିବାକୁ ମିଳୁଥିଲା ଯେ ବୈଜୟନ୍ତ ବିଜେପି ଟିକେଟରୁ କନ୍ଧମାଳରୁ ଲୋକସଭା ପ୍ରାର୍ଥୀ ହେବେ । ଏବେ କିନ୍ତୁ ସେଇଟା ଏକ ଗୁଜବ ଥିଲା ବୋଲି ଶୁଣିବାକୁ ମିଳୁଛି । ସେ ଯାହା ହେଉ ବୈଜୟନ୍ତ କାହିଁକି ତୃତୀୟ ମହଲାର ପାଣ୍ଡିଆନ ବାବୁଙ୍କୁ ଟାର୍ଗେଟ କଲେ, ତା’ର ପ୍ରତିଶୋଧ ନେବାକୁ ବିଜେଡି ଦଳିଆ ଏବେ ପ୍ରତିଜ୍ଞାବଦ୍ଧ । ଖାସ ସେଥିପାଇଁ ବିଜେଡି ଏବେ କଂଗ୍ରେସ ନେତାଙ୍କ କାନ୍ଧରେ ବନ୍ଧୁକ ଥୋଇ ବୈଜୟନ୍ତଙ୍କୁ ଟାର୍ଗେଟ କରିବାକୁ ଚାହୁଁଛି ।
ଏଥିପାଇଁ ତୃତୀୟ ମହଲାର ଜଣେ ବାବୁ ଉକ୍ତ ବରିଷ୍ଠ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରିବାକୁ ନିମୟନ୍ତ୍ରଣ ଦେଇଥିବା ଶୁଣିବାକୁ ମିଳିଛି । ସେ ମଧ୍ୟ ବିଜେଡିରେ ସାମିଲ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଏହି ମିଶ୍ରଣ ପର୍ବ ବିଳମ୍ବ ହେବ ବୋଲି କୁହାଯାଉଛି । କାରଣ ଉକ୍ତ ବରିଷ୍ଠ କଂଗ୍ରେସ ନେତା ବିଜେଡି ଆଗରେ କିଛି ସର୍ତ ରଖିଛନ୍ତି । ଯାହାକୁ ପୁରଣ କରିବାକୁ ସେ ପ୍ରଥମେ ଦାବି କରିଛନ୍ତି । ଫଳରେ ତାଙ୍କ ଦାବିକୁ କେମିତି ପୁରଣ କରାଯିବ, ସେ ଦିଗରେ ବିଜେଡିରେ ଅଙ୍କକଷା ଚାଲିଛି ।
ଉକ୍ତ ବରିଷ୍ଠ ନେତା ଜଣଙ୍କ ଭଲ ଭାବେ ଜାଣିଛନ୍ତି ଯେ, କଂଗ୍ରେସ ଦଳରେ ତାଙ୍କର ରାଜନୀତିକ ଭବିଷ୍ୟତ ଅନ୍ଧାର । ତେଣୁ ବିଜେଡିରେ ମିଶିଲେ ହୁଏତ କିଛି ଫାଇଦା ମିଳିପାରିବ । ତେଣୁ ସେ ବିଜେଡିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେହିପରି ଏହି ଖବର ଅନ୍ୟ କଂଗ୍ରେସ ନେତାଙ୍କ କାନରେ ପଡ଼ିବା ପରେ ସେମାନେ ଏକପ୍ରକାରର ହତବାକ ହୋଇ ଯାଇଛନ୍ତି । କଂଗ୍ରେସ ନ ଛାଡ଼ିବା ପାଇଁ କଂଗ୍ରେସର ଅନ୍ୟ ନେତାମାନେ ଉକ୍ତ ବରିଷ୍ଠ ନେତାଙ୍କୁ ବୁଝାଇବା ଆରମ୍ଭ କରିଛନ୍ତି । ଏନେଇ ମଧ୍ୟ ମିଶ୍ରଣ ପର୍ବ ବିଳମ୍ବ ହେଉଥିବା କୁହାଯାଉଛି ।
ଅନ୍ୟପକ୍ଷରେ ବିଜେଡି ଶିବିରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସର ୩ ପ୍ରମୁଖ ଓ ବରିଷ୍ଠ ନେତା ଆସନ୍ତା ୨୦ ଦିନ ମଧ୍ୟରେ ନବୀନ ନିବାସ ଆସି ବିଧିବଦ୍ଧ ଭାବେ ଯୋଗଦେବେ । ସମ୍ଭବତଃ ସେହି ଦିଦ କେନ୍ଦ୍ରାପଡ଼ାର ଉକ୍ତ କଂଗ୍ରେସ ନେତା ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ବିଜେଡିର ବୈଜୟନ୍ତ ଚେକମେଟ ଆଗକୁ କେଉଁ ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା ।